ଭଦ୍ରମୁଖା
ଭଦ୍ରମୁଖା




ଭଦ୍ରମୁଖା
*******
କବିଶ୍ରୀ ଗଗନ କୁମାର ଦାଶ
--------------------------------
ସମାଜରେ ଆଜି ଅତ୍ୟାଚାର ଚାଲେ
ଭଦ୍ରମୁଖା ପିନ୍ଧିକରି,
ମଦଟୋପେ ଆଉ ମାଂସଫୁଟେ ପାଇଁ
ହୋଇଥାନ୍ତି ମରାମରି ।
ଭୋଟ ଭୋକକୁ ମାରିବା ପାଇଁ କି
ଏହି ଭଦ୍ରମୁଖା ଜନ,
ନେତାଙ୍କ ପଛରେ ଧାଉଁଥାନ୍ତି ଏଠି
ଭୁଲି ମାନ ସନମାନ ।
ଭଦ୍ରମୁଖା ପିନ୍ଧି ରାଜନେତା ଦେଖ
ଗରିବଙ୍କୁ ଠକି ଖାଏ,
ଭଦ୍ରମୁଖା ପିନ୍ଧା କୁଜି ନେତାମାନେ
କୁକୁର ଭଲି ଗୋଡାଏ ।
ଭଡ଼ାରେ ଜନତା ଜିନ୍ଦାବାଦ କହି
ଭାତ ଡାଲମା ଖାଆନ୍ତି,
ଦୁଇଶହ ଟଙ୍କା ଧରିଣ ଅଣ୍ଟାରେ
ଜିନ୍ଦାବାଦ କହିଥାନ୍ତି ।
ଗରୀବ ଧନରେ ଉଡଙ୍ଗ କରନ୍ତି
ଭୁଲନ୍ତି ଭଗିନୀ ଜାୟା,
ଭଦ୍ରମୁଖାଙ୍କର ଅଡୁଆ ଜାଳରେ
ପଶି ନ ପାରି ମାୟା ।
ଭଦ୍ରମୁଖା ପିନ୍ଧି ଭଣ୍ଡାଇ ଥାଆନ୍ତି
ଭାଇକୁ କରି ଭଗାରି,
ଉଲ୍ଳକ ସଜାନ୍ତି ଜ୍ଞାନୀ ଗୁଣୀଙ୍କର
ମିଥ୍ୟାକୁ ପାଥେୟ କରି ।
ଆଖି ଥାଉ ଅନ୍ଧ ହୁଅନ୍ତି ଜନତା
ପାପେ ହୁଅନ୍ତି ଜଡ଼ିତ,
ଜତୁରସ ଯଦି ଓଠରେ ଲାଗିବ
ହସିବ ଜନ ଜଗତ ।
ଜତୁ ଗୃହ ଦେଖି ପ୍ରାସାଦ ଭାବନ୍ତି
ହାତଟି ଜଞ୍ଜିରେ ବନ୍ଧା,
କିଛି ଅର୍ଥ ପାଇଁ ଜୀବନ ବିକନ୍ତି
ଛାଡିଣ କୌଳିକ ଧନ୍ଧା ।
ପ୍ରତି ଜନପଦ ବୁଲି ବୁଲି ନେତା
ମାଗଇ ଭୋଟର ଭିକ୍ଷା,
ପାଞ୍ଚଶହ ଟଙ୍କାରେ ବିକ୍ରି ହୋଇଯାନ୍ତି
ନ ଜାଣନ୍ତି ଶିକ୍ଷା ଦୀକ୍ଷା ।
ଜଗୁଆଳୀ ଭଲି ନେତାର ପଛରେ
ଗୋଡାନ୍ତି ଦିବସ ରାତି,
ରାତି ଅନ୍ଧକାରେ ଅନ୍ୟାୟ ଅନିତୀ
ଧର୍ଷଣେ, ଶୋଷଣେ ମାତି ।
ଭଦ୍ରମୁଖା ଜନ ଅଟଇ ଜଘନ୍ୟ
ଚିହ୍ନିବା ଏହାକୁ କଷ୍ଟ,
କେବେ ସେ କୁକୁର କେବେ ସେ ଜମ୍ବୁକ
ବହୁରୁପୀ ମତି ଭ୍ରଷ୍ଟ ।
ଦିନ ଦ୍ୱିପହରେ ଜନାନା ମହତ
ଲୁଟି ନିଏ ଭଦ୍ରମୁଖା,
ଗାଁ ଗହଳିରେ ଗଳିକନ୍ଦି ଠାରେ
ରାତିରେ ହୁଅଇ ଦେଖା ।
ଜଳୋଚ୍ଛ୍ବାସ ପରି ଭଦ୍ରମୁଖାଙ୍କର ଗରବେ ଛାତି ଫୁଲଇ,
ଜଳ୍ପନା ପରାୟେ ଘୁରି ବୁଲୁଥାନ୍ତି
ଜଲ୍ଳାଦ ପରି ଦିଶଇ ।
ଗର୍ଭରେ ତାହାର ଭରପୁର ଜହର
ପେଟରେ କୁଟିଆ ମନ,
ନାରୀ ଦେଖିଦେଲେ ମନରେ ଭାବଇ
ସୁଖେ କରିବ ଜମ୍ଭନ ।
ଜାତି କର୍ମ ତାଙ୍କ ନୁହଇ ଉଚିତ
ଜାଡତା ତାଙ୍କର ଗୁଣ,
ପ୍ରତ୍ୟେକ କଥାରେ ଜାହିର କରନ୍ତି
ଏହି ଭଦ୍ରମୁଖା ଗଣ ।
ଦୂରେଇ ରୁହହେ ଗୁଣି ଜ୍ଞାନୀ ଜନେ
ଏହି ଭଦ୍ରମୁଖା ଠାରୁ,
ବେଳ ଥାଉ ଥାଉ କେଶକୁ ସଜାଡ
ବଞ୍ଚି ଯିବ ମରୁ ମରୁ ।