ଭଡାଟିଆ ଭୁତ
ଭଡାଟିଆ ଭୁତ


ଆମ ଗାଆଁ ମୁଣ୍ଡେ ଶୋଭା ପାଉଥିଲା
ବଡ ଏକ ଆମ୍ବ ତୋଟା,
ନାନାଜାତି ଆମ୍ବ ଗଛ ଭରପୁର
ସବୁ ଆମ୍ବ ଲାଗେ ମିଠା ।
ସବୁଠାରୁ ବଡ ଆମ୍ବଗଛ ଏକ
ଥିଲା ତୋଟା ର ମଝିରେ ,
ରହିଥିଲା ସେଠି ଭଡାଟିଆ ଭୁତ
ଦେଖାଦିଏ ଦିପହରେ ।
ଆମ୍ବତୋଟା କୁ ତୁ ଜମାବି ଯିବୁନି
ବାପା ସଦା କହୁଥିଲେ,
ବଡ ଭୟଙ୍କର ଭଡାଟିଆ ଭୁତ
ନେଇଯିବ ଟେକି କୋଳେ ।
ଅତି କୌତୁହଳେ ଦିନେ ଖରା ବେଳେ
ଲୁଚିକି ଘରୁ ବାହାରି ,
ଆମ୍ବ ଖାଇବାକୁ ଗଲୁ ଆମ୍ବ ତୋଟା
ଲାଠି ଟେକା ହାତେ ଧରି ।
ଟିଙ୍କୁ ମିଣ୍ଟୁ ଚିଣ୍ଟୁ ନେଇଆସିଥିଲେ
ବଟା କଞ୍ଚାଲଙ୍କା ଲୁଣ,
ଟାଇଁ ଟାଇଁ ଖରା କାହା ଦେଖା ନାହିଁ
ଚାରିଆଡେ ଶୁନ୍ ଶାନ ।
ସାହାସ କରିକି ଆଗେଇଚାଲିଲୁ
ଆୟୁଶ ପିୟୁଷ ସାଥେ,
ଶ୍ଵେତ ଆସୁଥିଲା ଶୁଭ ଶ୍ରୀଶ ସହ
ଦେଖା ହେଇଗଲା ବାଟେ ।
ଡରି ଡରି କହେ ଯାଅନା ସେପଟେ
ବାହାରିଗଲାଣି ଭୁତ ,
ବଡଭୟଙ୍କର ଗୋଟା ଗିଳିଦେବ
ମେଲାଇ ବସିଛି ହାତ ।
ଧେତ, ଛେରା ଭୀରୁ ପରି କଥା କହୁ
ଭୁତ ଫୁତ କିଛିନାହିଁ ,
ଏଠି ଦେଖୁଥାଆ ଯାଉଅଛୁ ଆମ୍ଭେ
ଆଣିବୁ ଆମ୍ବ ଗୋଟାଇ ।
ଏକ ପରେ ଏକ ଆମ୍ବ ଝଡେ ଡାଳୁ
ଟେକା ପଥର ମାଡ଼ରେ ,
ହସି ହସି ସର୍ବେ ଗୋଟାଇ ଆମ୍ବ କୁ
ଭରିଲୁ ଝୋଲାମୁଣିରେ ।
ମଝି ଥୋଇ ଆମ୍ବ ବସି ସବୁ ସାଙ୍ଗ
ଛୁରୀରେ ଚାଞ୍ଚି ଆମ୍ବ କୁ ,
ଆନନ୍ଦେ ଆମ୍ବକୁ ଖାଉଥିଲୁ ବସି
କଞ୍ଚାଲଙ୍କା ଓ ଲୁଣକୁ ।
ଏସମୟେ ଭୁତ ବାହାରି ଚିତ୍କାରେ
କେ ଅଛି ଆମ୍ବ ତୋଟାରେ,
ଏଡିକି ସାହାସ ନେବି ତୋ ଜୀବନ
ଆସିଅଛୁ ଦିପହରେ ।
ନ ଡରି କି ମିଣ୍ଟୁ ମାରିଲା ପଥର
ଲକ୍ଷ କରି ତା ଆଖିକୁ ,
ରୁଧିର ଝରିଲା ଭୂତର ଆଖିରୁ
ଭୁତ ବାହାରେ ପଦାକୁ ।
କାନ୍ଦି କାନ୍ଦି ଭୁତ ବୋଲେ ମରିଗଲି
ବୋପାଲୋ ଆଉ ନମାର,
ଶୁଣି ଭୁତ ପାଶେ ଧାଇଁଲୁ ସମସ୍ତେ
ପୋଛିଲୁ ମୁହୁଁ ରୁଧିର ।
ଡର ପଶିଗଲା ଆମରି ମନକୁ
ଜାଣି ଭୁତ ଏ ନୁହଇ ,
ଏ ତ ରାମୁ କକା ଜଗେ ଆମ୍ବ ତୋଟା
ଭଡାଟିଆ ଭୁତ ହେଇ ।