ଭାଷାର ପରିମାପ
ଭାଷାର ପରିମାପ
ଓଡ଼ିଆ ଭାଷାର ବର୍ଣ୍ଣ ମାଳା ହାର
ଅଣଚାଶ ସବୁ ମିଶି
ସ୍ଵର ବର୍ଣ୍ଣ ଯାର ଅଟଇ ଏଗାର
ବ୍ୟଞ୍ଜନ ଅଠତିରିଶି ।
"ଅ" ଠାରୁ "କ୍ଷ"ର ଅଟେ ସମାହାର
ଗୋଟିଏ ଯେ ପରିବାର
"ଆ" କାର ଠାରୁ ଚନ୍ଦ୍ର ବିନ୍ଦୁ ଯାଏ
ମାତ୍ରା ଅଟେ ଅଳଙ୍କାର ।
ଅକ୍ଷରେ ଅକ୍ଷର ଯୋଡିଲେ ସୁନ୍ଦର
ବାକ୍ୟ ହୋଇଥାଏ ସୃଷ୍ଟି
ମାତ୍ରା ଅଳଙ୍କାର ପିନ୍ଧନ୍ତି ଅକ୍ଷର
ଶୁଣିବାକୁ ଲାଗେ ତୃପ୍ତି ।
ଅକ୍ଷର ସହିତ ମିଶି ଅକ୍ଷର ତ
ହୋଇଥାଏ ଯୁକ୍ତାକ୍ଷର
ସନ୍ଧି ବିଚ୍ଛେଦରେ ତା ମୂଲ୍ୟ ବାହାରେ
ସହଯୋଗ ପ୍ରତ୍ୟୟର ।
ଶବ୍ଦକୁ ଶବଦ ଏକତ୍ର କରିଲେ
ହୁଅଇ ବାକ୍ୟ ଗଠନ
ମାତ୍ରା ବିନା ଏଠି ହୁଏ ନାହିଁ ସୃଷ୍ଟି
ସୁମଧୁର ବାକ୍ୟ ମାନ ।
ସମାସ ବିଭକ୍ତି ଓଡ଼ିଆର ସ୍ଥିତି
ସଂସ୍କୃତର ମୂଳପିଣ୍ଡ
ପାରା ଅନୁଚ୍ଛେଦ ସୃଷ୍ଟିର ଆହ୍ଲାଦ
ସମାହାରେ ବାକ୍ୟଖଣ୍ଡ ।
ହିନ୍ଦୀ କି ସଂସ୍କୃତ ମରାଠୀ ଉର୍ଦ୍ଧୁ ତ
ମାତ୍ରା ଅଳଙ୍କାର ଲୋଡା
ଇଂରେଜୀ ଭାଷାଟେ ସାଧା ସିଧା ଅଟେ
ଅକ୍ଷରେ ଅକ୍ଷର ଯୋଡା ।
ନାହିଁ କେବେ ତାର ମାତ୍ରା ଅଳଙ୍କାର
ନାହିଁ ତ ସନ୍ଧି ବିଚ୍ଛେଦ
ଅକ୍ଷରରେ ସାନ ବଡ ତାରତମ୍ୟ
ଅକ୍ଷର ଯୋଡ଼ି ଶବଦ ।
ପୁରୁଷ ବଚନ କାଳ ସର୍ବ ନାମ
ପ୍ରତି ଭାଷାରେ ଆଦୃତ
ଏ ସବୁକୁ ନେଇ ବୁଝ ମନ ଦେଇ
କାହାର କେତେ ମହତ୍ତ୍ଵ ।
ନିଜ ପାଇଁ ନିଜ ମାତୃଭାଷା ବଡ
ପରିଚୟ ସ୍ୱତନ୍ତ୍ରତା
ଜନ୍ମ କଲା ମାତା ଭୋଗୁଛି ହିନସ୍ଥା
ଦରାଣ୍ଡୁଛେ ଧର୍ମ ମାତା ।
