ଭାରତବର୍ଷ
ଭାରତବର୍ଷ
ଦଧୀଚିଙ୍କ ତ୍ୟାଗେ ବିରଚିତ ଜାଣି
ଅସ୍ଥିଯୁଗ ଇତିହାସ
ତଥାପି କରୁଛୁ ନିଜ ଗୋଡ଼ ହାଣି
ଅସ୍ତିତ୍ବର ସର୍ବନାଶ ।
ସେହି ରକ୍ତ ଅଛି ଏବେ ଏହି ଦେଶେ
ଅଛି ବି ସାହସ ଜ୍ଞାନ
ସେହି ଶାନ୍ତି ପ୍ରୀତି ବଳେ ପରିଶେଷେ
ଅମ୍ଳାନ ରହିଛି ମାନ ।
ସଞ୍ଚୟରେ ଥିଲା ଦାନ ଧର୍ମ ମିତ
ଅତିଥି ଦେବତା ଭଳି
ବଚନେ ଦୃଢ଼ତା ଥିଲା ନିୟମିତ
ଅନ୍ତରେ ନଥିଲା ମଳି ।
ଚିତ୍ତେ ପବିତ୍ରତା ଭୁଜବଳେ ଶକ୍ତି
ଥିଲା ବି ନମ୍ରତା ଭରି
ଅନ୍ୟର ହିତରେ ଥିଲା ଅନୁରକ୍ତି
ଗୋଟିଏ କୁଟୁମ୍ବ ପରି ।
ଜାତି ଝଡ଼ଝଞ୍ଜା ଉତ୍ଥାନପତନେ
ଅକାଳ ପ୍ରଳୟ କାଳେ
ସହର୍ଷ ବିଜୟ ଲଭିଛୁ ଯତନେ
ମିଳିମିଶି ସମତାଳେ ।
ଜନ୍ମଭୂମି ଥିଲା ଅନ୍ୟ କେଉଁଠାରୁ
ନଥିଲୁ ବି ଆମେ ଆସି
ପ୍ରକୃତିର ଦାନେ ସୁଖେ ରହିପାରୁ
ସମଗ୍ର ଭାରତବାସୀ ।
ନିଜେ ଜାଗି ଆମେ ଜ୍ଞାନର ଆଲୋକେ
ଜଗାଇ ମାନବଜାତି
ଅଜ୍ଞାନ ବିନାଶି ଅଖିଳ ଏ' ଲୋକେ
ବଢାଇଛୁ ଯେତେ ଖ୍ୟାତି ।
ଅରୁଣକେତନ ଧରି ନିଜ ହାତେ
ଆଗେଇ ବରୁଣପଥେ
ସମୟ ପ୍ରବାହେ ଝଡ଼ଝଞ୍ଜା ବାତେ
ଯୁଝିଛୁ ବୈଭବ ଅର୍ଥେ ।
ସୁଖ ସ୍ବାଭିମାନେ ଚିତ୍ତ ରଖି ଥୟ
ପ୍ରାଣେ ପୂରିଯାଏ ହର୍ଷ
ସମୂହ କଲ୍ୟାଣେ ନିତ୍ୟ ନିରାମୟ
ଥାଉ ମୋ' ଭାରତବର୍ଷ ।