ଭାରତ
ଭାରତ
ଗଙ୍ଗା ଗୋଦାବରୀ
ନର୍ମଦା କାବେରୀ
ଅଙ୍ଗେ ଯାହାର
ଶୋଭା ବଢାଏ,
ସେହି ମୋ ଦେଶ
ଭାରତ ବର୍ଷ
ଆଧ୍ୟାତ୍ମିକତା ତାର ବନ୍ଦନା ଗାଏ ।
ବଙ୍ଗୋପ ସାଗର
ପାଦ ଧୁଏ ତାର
ହିମାଳୟ ତାରି
ମସ୍ତକ ହୁଏ,
ହିମ ଆବରଣ
ପକ୍ଵ କେଶ ରୂପେ
ଆଜୀବନ ତାର ସୋଭା ବଢାଏ ।
ବେଦ ଭାଗବତ
ଗୀତା ତତ୍ତ୍ବାମୃତ
ବାଣୀରେ ଯା’ର
ଅମୃତ ଝରେ,
ତାରି ଧ୍ଵନି
ସାରା ବିଶ୍ଵରେ
ସୁଭୁଛି ହୋଇ ଅହିଂସା ବାଣୀ ।
ଚଣ୍ଡାଶୋକ ଏଠି
ଧର୍ମାଶୋକ ହୁଏ
ପ୍ରମାଣ ତାହାର
ପଥର କୁହେ,
ଏହି ସେ ଦେଶ
ପଥର ବୁକୁରେ
ନିହାଣ ମୁନରେ ଫୁଟାଏ ହସ ।
ଅଜନ୍ତା ଏଲୋରା
କୋଣାର୍କର କଳା
ତାଜମହଲର
ଅମର ଗାଥା,
ପଥର ଦେହରେ
କହଇ କଥା,
ଶୃଙ୍ଗାର ବିରହ
ବିଷାଦ ଆନନ୍ଦ
ମଣିଷ ଅନ୍ତର ଅକୁହା କଥା ।
ଏହି ସେ ଦେଶ
ଭାରତ ବର୍ଷ,
ଅନେକ ଧର୍ମରେ
ଅନେକ ଭାଷାରେ
ଭାରି ଉତ୍କର୍ଷ,
ତାରି କୋଳରେ
ଭେଦ ଭାବ ଭୁଲି
ସଭିଏଁ ଶାନ୍ତିରେ ଶରଣ ପଶ ।