ଭାରତ ବନ୍ଦନା
ଭାରତ ବନ୍ଦନା
ଆତ୍ମୀୟତା ଭରା ନିବିଡ଼ ସମ୍ବନ୍ଧେ
ଶ୍ରେଷ୍ଠ ଯା'ର ପରିପାଟୀ
ଦିଗନ୍ତେ ପ୍ରସାରି ଅପୂର୍ବ ସୁଗନ୍ଧେ
ମହକେ ଭାରତ ମାଟି ।
ବକ୍ଷୁ ଯା'ର ବହେ ପୁଣ୍ୟତୋୟା ଗଙ୍ଗା
ଗଳେ ଶୋହେ ପାରିଜାତ
ଚରଣେ ସାଗର ମସ୍ତକେ ତ୍ରିରଙ୍ଗା
କାଳେ କାଳେ ପ୍ରତିଭାତ ।
ସକଳ ସମ୍ଭାରେ ବିଭାମୟୀ ତୁମେ
ଆଶିଷଦାୟିନୀ ମାତା
ଧନ୍ୟା ଅନ୍ନପୂର୍ଣ୍ଣା ଅପରୂପା ଭୂମେ
ମଞ୍ଜୁଳେ ବିହିଛି ଧାତା ।
ବିବିଧ ଭାଷାର ପୁଷ୍ପେ ସଦା ଶୋହେ
କ୍ଷେତ୍ର ଏ' ଗୌରବଭରା
ସକଳ ଜାତିର ବେଶଭୂଷା ମୋହେ
ଲାବଣ୍ୟ ତୋ' ମଧୁକ୍ଷରା ।
ମିଳିତ ଭାବର ଆବେଗେ ସ୍ପନ୍ଦିତା
ବନ୍ଧନେ ମମତ୍ବ ଜାଗେ
ବିମଳା କମଳା ଅମରବନ୍ଦିତା
ବିହ୍ବଳେ କରୁଣା ମାଗେ ।
ପରମ୍ପରା ଗତ ପାବନକାରିଣୀ
ଦିବ୍ୟମୟୀ ଅନିଷାରେ
ଧନଧାନ୍ୟେ ଧନ୍ୟା ସମ୍ପଦଧାରିଣୀ
ମହିୟସୀ ଅଭିସାରେ ।
ଜୀଵିକା ଦାୟିନୀ ଭବ୍ୟ ରତ୍ନଗର୍ଭା
ଜନମି ତୋହରି ଗର୍ଭେ
ଶାନ୍ତି ପ୍ରୀତି ମୈତ୍ରୀ ବଳେ ସର୍ବେସର୍ବା
ମଥା ତୋ' ଉନ୍ନତ ଗର୍ବେ ।
ଜଳସ୍ଥଳେ ଭରା ଶାଦ୍ବଳ ହରିତ
ପ୍ରକୃତି କି ଶୋଭାମୟୀ
ବୁଧଜନ କଣ୍ଠେ ଅମ୍ଳାନ ଚରିତ
ଇତିହାସ କାଳଜୟୀ ।
ଭୁବନବିସ୍ତାରୀ ଶୌର୍ଯ୍ୟେ ଭରା ମହୀ
ପ୍ରସାରେ ସଂସ୍କୃତି ପ୍ରଥା
ବିଶ୍ବେ ଗୁଞ୍ଜରିତ ଗଉରବେ ଯହିଁ
ଉତ୍ଥିଥ ସୁଉଚ୍ଚେ ମଥା ।
ଗରିମାବନ୍ତ ତୋ' ସାରସ୍ୱତ ଜ୍ଞାନେ
ସନ୍ତତି ପ୍ରଥିତଯଶା
କଣ୍ଠେ ଜ୍ଞାନାମୃତ ପିପାସୁ ସନ୍ଧାନେ
ଆତୁରେ ଏ' ଭବ୍ୟରସା ।
ଚରଣେ ବନ୍ଦନା କରେ ମୁକ୍ତି ଆଶେ
ଭକ୍ତି ପ୍ରୀତି ଅନୁରାଗେ
ମାତୃଅଙ୍କ ପ୍ରେମେ ପ୍ରତି ଅବକାଶେ
ଅଭୟ ଆଶିଷ ମାଗେ ।
