ଭାବନା
ଭାବନା
ସଖୀ, ଭାବନା କାହାକୁ କୁହ
ସଖୀ, ଯାତନା କାହାକୁ କୁହ
ତୁମେ ଯେତେ କହ ଦିବସ ରଜନୀ
"ଭଲପାଏ ,ଭଲପାଏ"
ଭଲ ଯେ କାହାକୁ ପାଅ ।
ସେ କି କେବଳ ଯାତନାମୟୀ
ସେ କି କେବଳ ଚକ୍ଷୁର ଜଳ
ସେ କି କେବଳ ଦୁଃଖର ଶ୍ବାସ?
ଲୋକେ ତେବେ କିଆଁ
କି ସୁଖରେ ତା'ଠୁଁ
ଲୋଡନ୍ତି ଦୁଃଖର ଆଶା ।
ମୋର ନୟନେ ତ ସବୁ ଶୋଭନ
ସବୁ ବିମଳ ଓ ସବୁ ନବୀନ
ସୁନୀଳ ଆକାଶ, ଶ୍ୟାମଳ କାନନ
ବିଶାଦ ଜୋଛନା, କୁସୁମ କଲ୍ଲୋଳ
ସକଳ ମୋହରି ସମାନ।
ସେ କେବଳ ହସେ, କେବଳ ଗାଏ
ହସି ଖେଳି ସିଏ ମରଣ ଚାହେଁ
ନ ଜାଣେ ବେଦନା, ନ ଜାଣେ କାନ୍ଦଣା
ନ ଜାଣେ ସାଧ୍ୟର ଯେତେକ ଯାତନା ।
ହସି ହସି ଫୁଲ ସେ ଝରିଯାଏ
ଜୋଛନା ସେ ହସି ମିଳାଇଯାଏ
ଆକାଶ ସାଗରେ ହସି ହସି ତାରା
ନିଜର କାୟାକୁ ତେଜଇ ସିଏ ।
ମୋ ଭଳି ଆଉ ଅଛି କେ ସୁଖୀ
ଆ ମୋ ପାଖକୁ ଆ ଲୋ ସଖୀ
ସୁଖୀ ହୃଦୟର ସୁଖ ଗାୟନ
ଶୁଣି ତୁ ତୋହର ଯୋଡିବୁ ପ୍ରାଣ ।
ପ୍ରତିଦିନ ଯଦି କାନ୍ଦିବୁ କେବଳ
ଗୋଟିଏ ଦିନ ତ ହସିବୁ ତୁହି
ଗୋଟିଏ ଦିନ ତ ହସିବା ସମସ୍ତେ
ବିଷାଦର କ୍ଷଣ ସବୁ ଭୁଲାଇ ।
ମୂଳ ରଚନା : ରବୀନ୍ଦ୍ରନାଥ ଠାକୁର
ଅନୁସୃଜନ : ସୁଧୀର କୁମାର ପଣ୍ଡା