ଭାବନା
ଭାବନା


ଚେତନ ମନରେ ଅଶେଷ ଭାବନା
ନିତି ଆସି ଖେଳେ ଦୋଳି
କେବେ ଉଡ଼ି ବୁଲେ ଗଗନ ବୁକୁରେ
କେବେ ଛୁଇଁଥାଏ ଧୂଳି ।
ଭାବନା ରାଇଜେ ଗଢ଼ିଥାଏ କେବେ
ସପନ ରାଜମହଲ
ହୀରା, ନୀଳା, ମୋତି, ମଣିମାଣିକରେ
ରୂପଟି ତା'ର ଅତୁଲ ।
କେବେ ହଜିଯାଇ ଅତୀତ କୋଳରେ
ସାଉଁଟି ଅଭୁଲା ସ୍ମୃତି
ସରସ ନୀରସ ଭାବ ସମାହାରେ
ହରଷ ବିଷାଦ ମତି ।
ଦିବାସ୍ବପ୍ନ ସତ ହେଉ କି ନହେଉ
ଦେଖିବାରେ ଥାଏ ଧ୍ୟାନ
ଏଥିରୁ ବିଚ୍ୟୁତ କେ ହୋଇ ନପାରେ
ଏ ତ ମାନବ ଲକ୍ଷଣ ।
କେଉଁ ଭାବ ରୂପ କେଉଁଠି ପହଞ୍ଚେ
ନିଜେ ବି ନ ଥାଏ ଜାଣି
ବହଇ କେବଳ ତାହାର ସ୍ରୋତରେ
ଅବାସ୍ତବ ମଧ୍ୟ ଜାଣି ।
ଭାବନାଟା ଯେବେ ଜଗତ ହିତରେ
କର୍ମ ହୁଏ ସେହି ମତେ
ଅସତ ଚିନ୍ତାରେ ରହିଲେ ମଗନ
କୁକର୍ମରେ ସଦା ମାତେ ।
ଗତି ମୁକ୍ତିଦାତା ଈଶ୍ବର ମନରେ
ପ୍ରତିକ୍ଷଣ ବିଚରଣ
ଯେବେ କରିଥାନ୍ତି କେଉଁ ମାନବର
ସେ ପଥ ମୋକ୍ଷ କାରଣ ।