ଭାବନା ନାୟକ
ଭାବନା ନାୟକ
ଲୁଚି ଯାଇଥିଲେ ଆକାଶରୁ ସୂର୍ଯ୍ୟ
ପାହାଡର ଉହାଡରେ
ଚାନ୍ଦ ହସୁଥିଲା ମୁରୁକି ମୁରୁକି
ଶୁଭ୍ର ସ୍ନିଗ୍ଧ ଜୋଛନାରେ
ବସି ରହିଥିଲି ସାଗର ବେଳାରେ
କିଛି କ୍ଷଣ ଏକାନ୍ତରେ
ଭିଜୁଥିଲି ଆହା ସିକ୍ତ ସମୀରଣ
ମିଠା ମିଠା ପରଶରେ
ନୀରବତା ମୋର ଭଙ୍ଗ ହୋଇଗଲା
ପାଉଁଜିର ଶବଦରେ
କିଏ ସେ ରୂପସୀ କି ଯୁବାବୟସୀ
ଖୋଜିହେଲି ନୟନରେ
ଦେଖିଲି ଯାହାକୁ କି ବର୍ଣ୍ଣିବି ରୂପ
ଶବ୍ଦ ଗୁଚ୍ଛ ଭାବନାରେ
ଆହା କି କମ୍ପନ ମିଠା ଶିହରଣ
ଭରିଗଲା ହୃଦୟରେ
ରୁପା ପରି ତନୁ ଚାଲି ତା'ହରିଣୀ
ଓଠ ଗୋଲାପର କଢି
ଏମିତି ଦେବୀକୁ ଅତି ଯତନରେ
କିଏ ସେ ଦେଇଛି ଗଢି
କେଶ ନୁହେଁ ସେତ କଳା ମେଘଖଣ୍ଡ
ମୁଖ ତା'ଚନ୍ଦ୍ରମା ପରି
ହଳଦୀ ପାଟରେ ଶୋଭା ପାଉଥିଲା
ଚାଲୁଥିଲା ଥିରି ଥିରି
କିଛି କ୍ଷଣ ପାଇଁ ହୃଦୟ ହାରିଲି
ପଡ଼ିଗଲି ତା'ପ୍ରେମରେ
ତାକୁ ଛୁଇଁବାକୁ ଅଥୟ ମନଟା
ହଜିଥିଲା ସପନରେ
ଯେବେ ସେ ନିକଟ ହୋଇଲା ମୋହର
କାନି ତା'ର ପବନରେ
ଉଡ଼ିଆସି ମୋର ହାତରେ ବାଜିଲା
ଧରିନେଲି ଆନନ୍ଦରେ
ଟଳମଳ ହୋଇ ଲାଜକୁଳୀ ସେହି
ଲୋଟିଗଲା ମୋ' ଛାତିରେ
ପ୍ରିତୀ ଚୁମ୍ବନଟେ ଆଙ୍କିଦେଲି ମୁହିଁ
ଅନ୍ତରଙ୍ଗ ଆଶ୍ଳେଷରେ
କୋଉଠି ଥିଲା ସେ ସିନ୍ଧୁ ର ଜୁଆର
ବାଧା ଦେଲା ପିରତୀରେ
ଭାବନା ନାୟିକା ଲୁପ୍ତ ହୋଇଗଲା
ସମୟର ପଥଧାରେ
