ଭାବଗ୍ରାହୀ
ଭାବଗ୍ରାହୀ
ଭାବର ଠାକୁର ତୁମେ ଭାବଗ୍ରାହୀ
ଭକ୍ତର ଜୀବ ଜୀବନ
ବରଷକ ଥରେ ରଥ ଯାତରାରେ
ଭକ୍ତଙ୍କୁ କରୁଛ ଧନ୍ୟ ।
ନଅ ଦିନ ପାଇଁ ଯାଉଛ ପ୍ରଭୁ ହେ
ମାଉସୀ ମାଆଙ୍କ ଘର
ପୋଡ଼ ପିଠା ଖଣ୍ଡେ ଖାଇବା ପାଇଁ କି
ମନ ବଳିଛି ତୁମ୍ଭର ।
ଟାହିଆ ପିନ୍ଧିଣ ଝୁଲିଝୁଲି ଆସ
ବଡ଼ଦାଣ୍ଡେ ଭକ୍ତ ସାଥେ
ବାମନ ରୂପରେ ବିଜେ କରିଥାଅ
ତୁମେ ନନ୍ଦିଘୋଷ ରଥେ ।
ତୁମରି ରଥର ଦଉଡ଼ି ଟାଣିଲେ
ମନକୁ ମିଳଇ ଶାନ୍ତି
ହେ ଚକା ନୟନ ତୁମ କୃପା ବଳେ
ମଣିଷ ତ ପାଏ ମୁକ୍ତି ।
ବହୁତ ଦିନରୁ ଭାବିଛି ପ୍ରଭୁ ହେ
ତୁମ ଦର୍ଶନ କରିବି
ତୁମ ଡ଼ୋରୀ ଥରେ ଲଗାଅ ମୋଠାରେ
ରଥଯାତ ଦେଖି ଯିବି ।
