ଭାବ ରଙ୍ଗମଞ୍ଚେ ନାୟକ ତୁମେ
ଭାବ ରଙ୍ଗମଞ୍ଚେ ନାୟକ ତୁମେ
ଭାବ ରଙ୍ଗମଞ୍ଚେ ନାୟକ ହେ ତୁମେ
ଆହେ ଭାବର ଠାକୁର,
ଭାବରେ ବାନ୍ଧିଛ ଏ ସାରା ବିଶ୍ୱକୁ
ଭାବ ଡୋରେ ବନ୍ଧା ନର।
ଶୂନ୍ୟ ଶୂନ୍ୟ ସବୁ ଅଟେ ମହାଶୂନ୍ୟ
ଶୂନ୍ୟରେ ଚାଲିଛି ଲୀଳା,
ଶୂନ୍ୟବ୍ରହ୍ମ ତୁମେ ଅଣଚାଶ ଧରି
କରୁଛ ଜଗତେ ଖେଳା।
ମହାଶୂନ୍ୟ ସେଇ ଆକାଶ ମଧ୍ଯରୁ
ଅନଳ ଉତ୍ପନ୍ନ ହେଲା।
ବାୟୁ ଅଣାକାର ନାହିଁ ତା ଆକାର
ଅଗ୍ନିକୁ ଜାତ ସେ କଲା।
ଅଗ୍ନିକୁ ଲିଭାଇ ପାରେ ସିନା ଅମ୍ବୁ
ଜନ୍ମଦାତ୍ରୀ ତାର ସିଏ,
ସେଇ ଅମ୍ବୁ ପୁଣି ଧରି କେତେ ରୂପ
ପୃଥ୍ଵୀକୁ ଜନମ ଦିଏ।
ପ୍ରକୃତି ଶରୀର ପଞ୍ଚଭୂତ ସାର
ତହୁଁ ନାହିଁ କିଛି ଆନ,
ଏହି ସଦଜ୍ଞାନ ଥାଉ ସଦା ମନେ
ଜହୁଁ ସ୍ରୁଷ୍ଟି ତହିଁ ଲୀନ।
ଅସ୍ଥି, ମଜ୍ଜା, ଚର୍ମ, ରକ୍ତ, ମାଂସ ଦେଇ
ଗଢିଲ ମଣିଷ କାୟା,
ସତ୍ତ୍ଵ, ରଜ, ତମ ତିନିଗୁଣ ରଜ୍ଜୁ
ହସ୍ତେ ଧରି କର ମାୟା।
ସତ୍ୟକୁ ତ୍ରେତୟା ଦ୍ଵାପରକୁ କଳି
ଗଢିଦେଇ ଯୁଗ ଚାରି,
କେବେ ରାମ ପୁଣିକେବେ କୃଷ୍ଣ ହେଇ
ଆସିଲ ହେ ଅବତରି।
ରୁକ, ସାମ, ଯଜୁଃ, ଅଥର୍ବ ମିଶାଇ
ବେଦ ଚାରି ପ୍ରକାରର,
ଚାରି ଜାତି ପୁଣି ଭାଗ କଲ ତୁମେ
ଗୁଣ କର୍ମ ଅନୁସାର।
ସାରା ବିଶ୍ୱ ଅଟେ ଏକ ରଙ୍ଗମଞ୍ଚ
ଅଭିନେତା ଏଠି ସର୍ବେ,
ତୁମ ରଙ୍ଗ ବୋଳି ପଠାଅ ମଞ୍ଚକୁ
କର୍ମଫଳ ନର ଲଭେ।
ହେ ମହାନାୟକ ଭାବର ବଣିକ
ଭାବ ଥିଲେ କର ପାରି,
ବଢାଇଲି ହାତ ହେ ଜଗତନାଥ
ଥରେ ଦିଅ ପାରିକରି।