ବଗ ଛୁଏଁନାହିଁ ମୀନ
ବଗ ଛୁଏଁନାହିଁ ମୀନ
ଧରମ କାର୍ତ୍ତିକ ମାସର
ଏଇ ଶେଷ ପାଞ୍ଚ ଦିନ
ସଭିଏଁ ପାଳନ୍ତି ପଞ୍ଚକ
ବଗ ଛୁଏଁନାହିଁ ମୀନ
ଶେଜ ଛାଡି ବଡି ସକାଳୁ
ନଦୀ ଜଳେ ବୁଡ ଦେଇ
ଦେଉଳେ ଯାଆନ୍ତି ସରବେ
ଫୁଲ ଧୂପ ଦୀପ ନେଇ
ଆମିଷ ଆହାର ପାଇଁକି
ମନ କରନ୍ତିନି କେହି
ପୁଣ୍ୟ ଅରଜନ୍ତି ସକଳେ
ଦୀନଜନେ ଦାନ ଦେଇ
ରଙ୍ଗ ବିରଙ୍ଗର ମୁରୁଜ
ମାଆମାନେ ସାଥେ ନେଇ
ଚଉରାରେ ବସି ପକାନ୍ତି
ଶରଧାରେ ମନ ଦେଇ
ପୁନେଇଁ ସକାଳେ ନଈରେ
ଡଙ୍ଗା ଭସେଇବା ପାଇଁ
ଏକାଠି ହୁଅନ୍ତି କୂଳରେ
ଡକାଡକି ହୋଇ ଯାଇ
କଦଳୀ ପାଟୁକା ଡଙ୍ଗାରେ
ପାନ ଗୁଆ ନେଇ ଯାଇ
ଭସେଇ ଦିଅନ୍ତି ନଈରେ
ଆ କା ମା ବୈ ଗାଇ
ରାଇ ଦାମୋଦର ପୂଜନ୍ତି
ହବିଷ୍ୟାଳି ମେଳ ହୋଇ
ବାଲିରେ ତିଆରି ବାଲୁଙ୍କା
ତୁଳସୀ ମୂଳରେ ଥୋଇ
ପଞ୍ଚକର ଦିନଗୁଡିକ
ସୁଖରେ ଶାନ୍ତିରେ ଯାଏ
ଧରମ କରମ ପାଇଁକି
ମନଟି ଆମରି ଥାଏ
