ବେଦରଦୀ ଜହ୍ନ
ବେଦରଦୀ ଜହ୍ନ
ଆଉ କେତେ ମୋତେ ଜଳାଇ ମାରିବୁ
କହ ଆରେ ବେଦରଦୀ ଜହ୍ନ
ମୋ ପ୍ରତୀକ୍ଷାର ଏ କି ବା ପରୀକ୍ଷା
କେତେ ଆଉ ନେବୁ କହ ଜହ୍ନ !
ନିଇତି ଆସୁଛୁ ଦେଖାଦେଇ ସତ
ଅଧା ଲୁଚା ଚେହେରାକୁ ତୋର
ପୂର୍ଣ୍ଣମୀରେ ହସୁ ଯେବେ ଖିଲିଖିଲି ହୋଇ
ଲାଜ ତୋତେ ଲାଗେନାହିଁ କି ଜହ୍ନ !!
ମୁଁ ଏଠି ବା କେତେ ବାର ଜନମି ମରିଛି
ହିସାବ ତା ରଖିଛୁ କି କେବେ
ମୋ ଜନ୍ମର ଗୋଟିଏ ହିଁ ଲକ୍ଷ୍ୟ ଓ ସାଧନ
ପାଇବାକୁ ତୋ ସାନ୍ନିଧ୍ୟ ଲବେ।
ହାଟରେ ଗଡ଼ୁଛି କେତେ ରୋଚକ କାହାଣୀ
ତୋ ସହିତ ମୋ ସମ୍ପର୍କ ଜହ୍ନ
ମୋ ନିନ୍ଦାରେ କେତେ ଆଉ ବହିବୁ କଳଙ୍କ
କହ ଆରେ ବେଦରଦୀ ଜହ୍ନ !
ତୁ ସିନା ଦେଖାଦେଉ ଅନ୍ଧାରୀ ଆକାଶେ
ଏ ସମାଜ ଶୋଇଗଲା ପରେ
ପୁଣି ଶେଷେ ଫେରିଯାଉ ପ୍ରଭାତ ଆଗରୁ
ଲୁଚି ଲୁଚି ଚୋର ପ୍ରକାରରେ।
ତୁ କି ବା ବୁଝିବୁ ମୋର କେତେ ଅପବାଦ
ବୁଝିବାକୁ ଚାହିଁନୁ ତୁ ଜହ୍ନ
ନିନ୍ଦାଘାତେ ରକ୍ତିମ ମୋ କଳେବର ଆଜି
ତୋତେ କେବେ ଦିଶିଛି କି ଜହ୍ନ !!
ସେଦିନ ସେ ଅମାବାସ୍ୟାର ଘନ ଅନ୍ଧକାରେ
ଅନାବନା ଗୁଳ୍ମ ଯେତେ ସବୁ
ଛିଗୁଲେଇ କହିଗଲେ କେତେ କଥା ମୋତେ
ତୁ କାଳେ ଆଉ ନ ଆସିବୁ।
ସତରେ କି ପରକୀୟା ପ୍ରୀତିରେ ତୁ ମାତି
ମୋତେ କଣ ଭୁଲିଗଲୁ ଜହ୍ନ
ଏତେ କଥା ମନେ ଯଦି ରଖିଛୁ ତୁ ପାଞ୍ଚି
ମୋତେ କାହିଁ ମୋହୁଥିଲୁ ଜହ୍ନ !!
ସରସୀ ଜଳରେ ତୋର ପ୍ରତିବିମ୍ବ ଦେଖି
କେତେ ତାକୁ କରିଛି ଆଦର
ଜଳ ଟିକେ ଢଳ ଢଳ ହୋଇ ଯାଏ ଯଦି
ସେ ସରସୀକୁ କରିଛି ଧିକ୍କାର।
ଏମିତି ତୋ ଛାଇ ଦେଖି ନିଇତି ନିଷୀଥେ
କେତେ ଆଉ ବୁଝାଇବି ମନ
କେବେ କହ ପ୍ରଣୟର ମଧୁ ବରଷାରେ
ମୋତେ ଥରେ ଭିଜାଇବୁ ଜହ୍ନ !!
ବିରହ ଯଦି ମୋ ହୁଏ ନିୟତି ଲିଖନ
କାହାକୁ ବା ଦୋଷ ଦେବି କହ
ତୁ ଯଦି ନ ବୁଝିଲୁ ମୋ ହୃଦ ଯାତନା
ଆଉ କା'ରେ ବଖାଣିବି କହ।
କାହିଁକି କୁମୁଦବନ୍ଧୁ ନାମ ତୁ ବହିଛୁ
କହ ଆରେ ଅବିଶ୍ୱାସୀ ଜହ୍ନ
ଆଶା ଆକାଶରେ ତୋତେ ଏବେ ବି ପୁଜୁଛି
ସମ୍ପିଛି ମୁଁ ତୋ ପାଶେ ଜୀବନ।।

