ବେଦନାର ପ୍ରତିରୂପ
ବେଦନାର ପ୍ରତିରୂପ
କୁଆଁରୀ କଇଁର ଭିଜିଲା ପଣରେ
ହଜିଛି ବୟସ ଭାର
ଅଶିଣ ଆକାଶ ତୋଫା ଜହ୍ନରାତି
ଲାଗେ ଭାରି ଆପଣାର I
ଜହ୍ନ ହସିଦେଲେ କଇଁର ଆଖିରୁ
ଆନନ୍ଦାଶ୍ରୁ ପଡେ ଝରି
ନିରବେ ପ୍ରତିକ୍ଷା କରି ସେ ରହିଛି
ଦଣ୍ଡେ ଜୀଇଁ ଦଣ୍ଡେ ମରି I
ଜହ୍ନର କୋଳରେ ମଥା ରଖି କେବେ
କହିନାହିଁ ମନ କଥା
ନୀଳ ସରୋବରେ ନୀରବେ ଚାହିଁଛି
ହୃଦୟେ ଅସହ୍ୟ ବ୍ୟଥା I
ଦିନରେ ମଉଳି ରାତିରେ ହସୁଛି
ପ୍ରିୟ ପ୍ରିୟତମ ପାଇଁ
ବେଦନାର ରୂପ ଦେଖିବ ଯଦି ଗୋ
ସରୋବରେ ଦେଖ କଇଁ I