ବେଦନାର ଆନନ୍ଦ
ବେଦନାର ଆନନ୍ଦ
ସେଠି କଣ ମୁଁ ସତରେ ପହଞ୍ଚିବି
ପାଇବି କି ମୋ ପ୍ରତୀକ୍ଷାର ପ୍ରତିଦାନ
ସେଇ ଭୂସ୍ବର୍ଗ କଣ ମୋ ଭାଗ୍ୟରେ,
ସେ ସ୍ଥାନର ଯୋଗ୍ୟ କଣ ମୁଁ ହେଇ ପାରିବି କେବେ
ଜୀବନର ପରମାନନ୍ଦ ସେଠାରେ,
ମୋର ଅଣୁ ପରମାଣୁ ବି ବ୍ୟଗ୍ର ସେ ପୀୟୂଷ ପରଶ ପାଇଁ
ମନ ମୋର ଆକୁଳିତ ବ୍ୟାକୁଳିତ ସନ୍ତୁଳିତ
ତମସାରୁ ଆଲୋକର ସନ୍ଧାନରେ ।
ଅମୀୟ ଆସ୍ଵାଦ ପାଇଁ ତୃଷାର୍ତ୍ତ ମୁଁ ଏବେ,
ନୀରରେ ଆଉ କଣ ମେଣ୍ଟୁଛି ମୋ ଶୋଷ
ଆସନ୍ନ ସେ ଭବିଷ୍ୟତ ଆହତ ନ ହେଉ
ମୋ ଅଯୋଗ୍ୟତାର ଆଘାତରେ
ନା ନା, ନ ହେଉ ଏ ଦୁର୍ଯୋଗ,
ଏପରି ବିଶାଳ ଦୁଃଖ ସହିବାର ଅଭିଜ୍ଞତା
ନାହିଁ ଏ ନିରୀହ ହୃଦୟ ପାଖରେ ।
ତଥାପି ଆଳସ୍ୟର ବଶବର୍ତ୍ତୀ
ଏ ଆଳସ୍ୟ ହୋଇ ନ ଯାଉ ମୋ ସର୍ବନାଶର କାରଣ
ଆତ୍ମା ମୋର ଉଡି ନ ଯାଉ ଶରୀରକୁ ଛାଡି ।
ହାତପାଆନ୍ତାର ସ୍ୱର୍ଗସୁଖକୁ ଦୂରେଇ ନ ଦେଉ ଏ ଚଞ୍ଚଳ ମନ
ନିଜ ଚଞ୍ଚଳତାକୁ ନେଇ କାହିଁ କେତେ ଅଞ୍ଚଳକୁ
ସେ କରେ ପର୍ଯ୍ୟଟନ,
ପର୍ଯ୍ୟଟକରୁ ସଦସ୍ୟ ହେବାର ଯାତ୍ରାରେ
କଣ୍ଟକ ଆଘାତେ ଲହୁଲୁହାଣ ମୁଁ ତ ଚାହେଁ,
ମୁଁ ଚାହେଁ କଷ୍ଟ ସବୁକୁ କୋଳେଇ ନେବାକୁ
କଣ୍ଟା ସବୁରେ ନିଜ ପାଦ ଥୋଇ ଫୁଲ ସଜେଇ ଦେବାକୁ ।
ସେଇ ପ୍ରଚେଷ୍ଟାରେ ହେବି ମୁଁ ପରିଚିତ,
ଏଇ ତ ଅବର୍ଣ୍ଣନୀୟ ଆନନ୍ଦ,
କଣ୍ଟକରେ କୁସୁମର ଅନୁଭବର ଅନୁସନ୍ଧାନ କରି
ପାଦ ମୋର ରକ୍ତାକ୍ତ
ତଥାପି ତଥାପି ଭବିଷ୍ୟତର ପାରିଜାତକୁ ଚାହିଁଲେ
ଏ କଣ୍ଟକ ସବୁ ମନେ ହେଉଛନ୍ତି ତୁଚ୍ଛ,
ହେ କଣ୍ଟକ, ମୋ ରାସ୍ତାରେ ହୁଅ ତୁମେ ସଜ୍ଜିତ
ମୋ ପାଦକୁ କର କ୍ଷତାକ୍ତ
ଏହି ଉପକାର କରୁଥାଅ ମୋ ଉପରେ
ଯେପରି ମୁଁ ବିଛାଇ ପାରିବି ଫୁଲ ସେ ଚଲାପଥରେ ।

