ବଦନାମୀ ଝିଅ
ବଦନାମୀ ଝିଅ
ତୁମ ଅପବାଦଟା ଡେଇଁଗଲା ଯେବେ
ଏ କାନରୁ ସେ କାନ
ଘୁରିଆସିଲା ଗାଁ ସହର
ତୁମେ କୁଆଡେ ବଦନାମୀ ଝିଅଟି ବୋଲି
କହୁଛନ୍ତି ବେଢି ତୁମ ଚାରିପଟେ ଆଜି
ସବୁ ପାପର ଥାଏ କଣ ଶୀଘ୍ର ପ୍ରାୟଶ୍ଚିତ
ଯେ ସେମାନେ ତୁମକୁ ଛାଡି ଦେବେ
ଶୁଣିବାକୁ ପଡିବ ତ ତୁମକୁ
କିଛିଦିନ ହିଟ୍ କରା ଫିଲ୍ମ ଗୀତ ପରି
କାହିଁକି ନା
ତୂମେ ଲାଜକୁଳୀ ଲତା
କଥାର ସ୍ପର୍ଶରେ ଝାଉଁଳି ଯାଅ
ଭିତରେ ଭିତରେ ଭାରି କଷ୍ଟ ପାଅ
ଅପବାଦକୁ ଭାରି ଡର ତୁମେ
ଅନ୍ଧାରରେ ଭୂତ ଦେଖି ଚମକିଲା ପରି
ଓହ୍ଲାଉ ନଥିବ ତୁମେ ଦାଣ୍ଡ ତଳକୁ
ସେମାନଙ୍କର ଭୟରେ
ସେମାନେ ଯେମିତି ସେତେବେଳେ
ଦେଖାଯାଉଥିବେ ତୁମ ଆଖିକୁ
ମଣିଷଖିଆ ବାଘ ଠାରୁ ଆହୁରି ଭୟାନକ
ନିର୍ବାଚନ ପ୍ରଚାର କଲା ପରି
ସେମାନେ ଦିନରାତି କରୁଥିବେ ବାହାରେ
ତୁମ ନାମେ ଅପନିନ୍ଦା ଅପପ୍ରଚାର ସବୁ
ଯଦି ସେମାନଙ୍କୁ ପ୍ରଶ୍ନ କେହି ପଚାରିଦିଏ
କହି ପାରିବ ତୁମେ ତୁମ ଛାତିରେ ହାତ ଦେଇ
ତୁମେମାନେ ସବୁ ପୁଣ୍ୟବାନ ସଚ୍ଚୋଟ ବୋଲି
ତା ହେଲେ ସମସ୍ତେ ମୂକ ପାଲଟିଯିବେ
ଲଜ୍ୟାଭରେ ଉଦ୍ଧତ ଆଖି ସବୁ ତଳକୁ ନଇଁ ଆସିବ
ଆସ୍ତେ ଆସ୍ତେ ଗହଳ ଭାଙ୍ଗିଯିବ
ମୁଁହ ବୁଲାଇ ଫେରିଯିବେ ଯିଏ ଯାହା ବାଟରେ
ତାପରେ ସବୁକିଛି ନୀରବତା ଆଉ ଖାଁ ଖାଁ ପରିବେଶ
ଏମିତି ତ୍ ଏମାନଙ୍କର ଅଭ୍ୟାସ
କାହାର ଗୋଡ ଖସିଗଲେ
ତାଳି ମାରି ମାରି ହସନ୍ତି ଛୋଟ ଛୁଆ ପରି
ତ ଆଉ କେହି
ବାହାରକୁ ଆହା ପଦେ କହି
ଭିତରେ ଭିତରେ ପ୍ରତିଶୋଧ ନେଉଥାନ୍ତି ରାହା ନ ଦେଖାଇ
ମୁଁ କିନ୍ତୁ ଯୁକ୍ତି ବାଢୁଛି ହେ ବଦନାମୀ ଝିଅ ତୁମ ସପକ୍ଷରେ
ଗୋଟାଏ ହାତରେ କଣ ତାଳି ବାଜିପାରେ
ଖାଲି କଣ ତୁମର ଏକା ଦୋଷ
ନାହିଁ କଣ ଏଥିରେ ଆଉ କାହାର ପ୍ରତ୍ୟକ୍ଷ ବା ପରୋକ୍ଷ ହାତ
କାହିଁକି ବା ତୁମେ ଏକା ଏକା ନୀଳକଣ୍ଠ ସାଜିଛ
ସବୁ ଦୋଷକୁ ଏକା ଏକା ପିଠିରେ ବୋହି ଚାଲିଛ
କାହିଁକି ନା ତୁମେ ସମସ୍ତଙ୍କ ଆଖିରେ
ସାଧାରଣ ଝିଅଟିଏ
ନାହିଁ ଏଠି ଅଧିକାର ତୁମର କହିବାକୁ
ମୃଗ ପରି ତୁମେ ଖୋଜିବୁଲୁଛ ଏ ଅରଣ୍ୟରେ
ରାତିଦିନ ତୁମ ସ୍ଵାଧୀନତାର କସ୍ତୁରୀକୁ
ଅଭିଶପ୍ତ ଅହଲ୍ୟା ପରି ପାଷାଣ ପାଲଟିଛ
କଥା କହିବାକୁ ଛଟପଟ ହେଉଛ
କିନ୍ତୁ କିଛି କହିପାରୁନ
ତା ପୂର୍ବରୁ ନାଲି ଆଖିର ଶରରେ ବିଦ୍ଧହୋଇ
ଖଣ୍ଡିଉଡା ଚଢେଇ ପରି
ସବୁବେଳେ ଖାଲି ରକ୍ତାକ୍ତ କ୍ଷତବିକ୍ଷତ ହେଉଛ
ହେ ବଦନାମୀ ଝିଅ
ତୁମେ ସଂଗ୍ରାମ କର ନିଜ ପାଇଁ ଆଜି
ବାହାରେ ଝଡ ବର୍ଷା ତୋଫାନ ଆଜି ଅପସରୀ ଗଲାଣି
ଚାରିକାନ୍ଥ ଘେରା ଅନ୍ଧାରୁ ମୁକ୍ତ କର ନିଜକୁ ଆଜି
କବାଟ ଫିଟାଇ ଦେଖ କେମିତି
ବାହାରେ ସକାଳର ଚିକ୍ ମିକ୍
କଅଁଳିଆ ଖରା ଠିଆ ହୋଇ
ସ୍ଵାଗତ କରୁଛି ତୁମ ଚଲାପଥକୁ
