ବଦଳେ ସମୟ ଚକ୍ର
ବଦଳେ ସମୟ ଚକ୍ର
ଲୁଚାଇବି ନାହିଁ କିଛି ମୁଁ ତୁମକୁ
କହିବି ହୃଦୟ ଖୋଲି
ଲାଗିପାରେ ପ୍ରିୟ ଅଥବା ଅପ୍ରିୟ
କଥା ଅକାରଣ ବୋଲି ।
ହସଖୁସି ସୁଖ ଆନନ୍ଦ ସମୟେ
ଅଭାବ ହୁଏନି ସାଥି
ଯେତେ ମିଥ୍ଯାବନ୍ଧୁ ଦୁଃଖ ଦୁର୍ବିପାକେ
ମୁହଁକୁ ଲୁଚାଇଥାନ୍ତି ।
ନକର ଭରସା ଅପେକ୍ଷା ଉପେକ୍ଷା
ଜୀବନ ସରଳ ସୂତ୍ର
ପ୍ରସନ୍ନତା ପାଇଁ କୁହ ସତ୍ଯ ପ୍ରିୟ
କଥା ସଦା ସୁମଧୁର ।
ଦାନ ଦୟା କ୍ଷମା ସ୍ନେହ ଓ କରୁଣା
ହୃଦୟେ ଭରି ସଯତ୍ନେ
କରିବା ଉଚିତ ନିଜ ସୁକର୍ତ୍ତବ୍ଯ
ମାନବ ମାତ୍ର ଜୀବନେ ।
ହୃଦୟର ବ୍ଯଥା ଗୁମର କଥାକୁ
ଅନ୍ତରରେ ରଖି ଚାପି
ଲୁଚାଇବା ଭଲ ଆଖିର ଲୁହକୁ
ସନ୍ତର୍ପଣେ ନିଜେ ପୋଛି ।
ଖେଳାଇବା ମୁହେଁ ସଦା ସ୍ମିତହାସ
ଭରିବା ମନେ ସାହସ
ବ୍ଯବହାରେ ଆମ ଦୁନିଆଁରେ କେହି
ନପାଉ କଷ୍ଟ ଉଦ୍ଦେଶ୍ଯ ।
ଯଦି ତୁମେ ନିଜେ ଚାହୁଁଛ ମଙ୍ଗଳ
କରୁଛ ପରୋପକାର
ମିଳିପାରେ ଦୁଃଖ ଜୀବନରେ ବାଧା
ଅପନିନ୍ଦା ତିରସ୍କାର ।
ସ୍ଥିତି ପ୍ରତିକୂଳ ହୁଏ ଅନୁକୂଳ
ବଦଳେ ସମୟ ଚକ୍ର
ଲଭେ ଧୈର୍ଯ୍ୟବାନ କର୍ମର ସୁଫଳ
ଅଭିଜ୍ଞ ହୁଏ ସୁପାତ୍ର ।

