ବଡ଼ଦାଣ୍ଡେ ଦେଖ ଭକତ ରଙ୍କା
ବଡ଼ଦାଣ୍ଡେ ଦେଖ ଭକତ ରଙ୍କା
ନୀଳଶୈଳ ଆହେପ୍ରଭୁ ନୀଳାଚଳବାସୀ,
ନୀଳ ସମୁଦ୍ର କୂଳେ ଦେଖୁ ମୁରୁକି ହସି।
ନୀଳ ଆଖି କୋଣେ ତୁହି,
ନଚାଉ ସାରା ଜଗତ ତାକ ଧେଇ ଧେଇ ।।
ଆଷାଢ ଶୁକ୍ଳ ଦ୍ବିତୀୟା ତିଥି ରଥଯାତ୍ରା,
ଚାରିଆଡେ ଭକ୍ତଜନ ଦିଶେକେଡେ ଶୋଭା।
ସେ' ଯେ ଅତି ମନଲୋଭା,
ବଡଦାଣ୍ଡେ ବଡଦିଅଁଙ୍କ ଅପୂର୍ବ ଶୋଭା ।।
ସର୍ବାଙ୍ଗେ ବୋଳି ପବିତ୍ର ବଡଦାଣ୍ଡ ଧୁଳି,
ଆନନ୍ଦ ବିଭୋରେ ଭକତ କରନ୍ତି ହୁରି।
ଘୋଷଯାତ୍ରା ଦିଅଁଙ୍କର,
ସବୁଠୁ ସୁନ୍ଦର ପରମ୍ପରା ଉତ୍କଳର ।।
ପତିତ ଉଦ୍ଧାର ନିମନ୍ତେ ଜଗା ବଳିଆ
ବରଷକେ ଥରେ ବଡଦେଉଳୁ ଯେ ଉଭା।
ସଙ୍ଗେ ଦେବୀ ସୁଭଦ୍ରା,
ଦୁଃଖୀ ହାରୀ ଗୁହାରୀ ଶୁଣନ୍ତି ଭକ୍ତ ରଙ୍କା।।
ଚୁଆ ଚନ୍ଦନ ଜଳରେ ସ୍ନାନ ଶୌଚ ସାରି,
ନବ ବାସ ପରିଧାନେ ବାସେ ଭୁରି ଭୁରି।
ଭାଇ ଭଉଣୀ ସଙ୍ଗରେ,
ବିଜେ ହ୍ଯୋନ୍ତି ତିନିରଥେ ଗୋଟିପହଣ୍ଡିରେ।।
ପ୍ରଭୁ ଜଗନ୍ନାଥ ବିଜେ କପିଧ୍ଵଜ ରଥେ,
ତାଳଧ୍ଵଜ ରଥେ ଭାଇ ବଳଭଦ୍ର ବିଜେ।
ତିନି ଦିଅଁ ତିନି ରଥେ,
ସୁଭଦ୍ରା ସୁନ୍ଦରୀ ବସିଲେଣି ପଦ୍ମଧ୍ଵଜେ ।।
ପଣ୍ଡା ପଢ଼ିହାରୀ ଆନନ୍ଦେ କରନ୍ତି ସେବା,
ଡାହୁକ ଡାକରେ ଜାଗନ୍ତି ଦେବୀଦେବତା।
ଭକ୍ତ ଭଗବାନ ଯୋଗ,
ଅପୂର୍ବ ମିଳନ ଭକ୍ତର ଅପାର ସୁଖ ।।
ହରିବୋଲ ହୁଳହୁଳି କମ୍ପିଉଠେ ପୁରୀ,
ଦୁଃଖ ଜଣେଇ ଭକତ କରନ୍ତି ଗୁହାରୀ।
ରଥ ପଥ ଏକାକାର,
ପ୍ରଭୁ ଦରଶନେ ଶ୍ରଦ୍ଧାଳୁ ଭାବ ବିଭୋର ।।
ମାଉସୀ ମାଆ ମନ୍ଦିରେ ଆଡପ ବେଦୀରେ,
ନବଦିନ ବିତାନ୍ତି ମାଉସୀ ମାଆ ଘରେ ।
ଗୁଣ୍ଡିଚା ମନ୍ଦିର ହସେ,
ସବୁ ନିତୀକାନ୍ତି ହୁଏ ଜନମ ସ୍ଥଳୀରେ ।।
ନୀଳକନ୍ଦର ବାସୀ ହେ ନୀଳାଦ୍ରୀବିହାରୀ,
ନୀଳ ଊର୍ମି ମାଳା ପାଦ ଚୁମୁଛି ତୋହରି।
ନୀଳ ନଭ ବୁକୁ ଚିରି,
ନେଇଯାଆ ମୋତେ ତୋର ସେ ବୈକୁଣ୍ଠପୁରୀ ।।
