STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବଡ଼ ହେଲା ପରେ

ବଡ଼ ହେଲା ପରେ

1 min
284

ମାପୁଥିଲି ଆୟୁଷକୁ

ବୟସ ସ୍କେଲରେ

ଉତ୍ଫୁଲ୍ଲିତ ହେଉଥିଲି

ମୁଁ ହୋଇଗଲେଣି ବଡ଼।


ଏଥରକ ବାପାଙ୍କ ଚପଲ

ସାର୍ଟ ପିନ୍ଧିପାରିବି

ଯାହା ପିଲା ଦିନୁ ଥିଲା ଗୋଟେ ଶୋଷ

ବାପାଙ୍କ ପରି

ବାଇକ ଚଳାଇ ପାରିବି

ଷାଠିଏରୁ ଦ୍ରୁତ ସ୍ପିଡ଼ରେ

ଗଛ ମାନେ ମୋ ସାଙ୍ଗେ 

ପ୍ରତିଯୋଗିତା କରିବେ

ମୁହଁ ସାରା ଫେଣ ଭର୍ତ୍ତି କରି

ବାପାଙ୍କ ପରି ଦାଢ଼ି ଓଳେଇବି ।


ମୋର କୁଆଡେ ଯିବା

କିଛି କରିବାରେ ପାବନ୍ଧି ନାହିଁ

ବାପା ନାଲି ଆଖି କରି ପଚାରୁନାହାନ୍ତି

ଏତେ ରାତି ହେଲାଣି କୁଆଡେ ଯାଇଥିଲୁ?

ସେ ବଜାରୀ, ମଦୁଆ ଟୋକାଙ୍କ ସଂଗେ

ସାଙ୍ଗ କଣ ହେଉଛୁ?

କ୍ୟାରିଅର୍ ପ୍ରତି ଧ୍ୟାନ ଦେ କ୍ୟାରିଅର୍

ବାଜେ ଅଭ୍ୟାସ,ବାତେରା ସାଙ୍ଗ ଛାଡ଼

ତୋ ବୟସର ହେଲା ବେଳକୁ

ମୁଁ ସାତ ପ୍ରାଣୀ କୁଟୁମ୍ବ ଚଳାଉଥିଲି

ବୁଝୁଛୁ ନା ନାଇଁ ଉଁ।


ବୋଉ ବି ଆଉ କହୁ ନାହିଁ

ଠିକ୍ ସମୟରେ ଗାଧା,ଖାଆ

ରାତି ଅନିଦ୍ରା ହୋଇ ସେ ଫୋନରେ ଲାଗେନି

ଦେହ ଖରାପ ହେବ ରାତି ଅନିଦ୍ରା ହେଲେ

କିନ୍ତୁ ମୋ ଅପେକ୍ଷାରେ ଆର ଘରେ ଚେଇଁଛି

ସ୍ତ୍ରୀ ର ନାକ ଛିଟିକା କଥା ଶୁଣି ଗୁମୁରୁଛି

"ଆମେ ଖାଇଦେଇଛୁ

ତୁମ ଖାଇବା ସେଇଠି ଘୋଡା ହୋଇଛି

ଖାଇଦେଇ ବାସନଟା ଧୋଇ ଦେବ

ପକେଇବନି ମୋ ପାଇଁ,ବୁଝିଲ।"


କିନ୍ତୁ ବୋଉ....

ଯେତେ ରାତିରେ ଫେରିଲେ ବି

କଅଁଳେଇ କୁହେ

କଣ କରୁଛୁ ଏତେ ରାତି ଯାଏ

ବଇଥା ଖାଦ୍ୟ ଗରମ କରି ଆଣେ

ମୁଁ କୁହେ ତୁ ଖାଇଚୁ?

ସେ ହସିଦେଇ ମୋତେ ଚାହେଁ

ତା ଚାହିଁବା କହିଦିଏ

"ତୁ ଆସି ନଥିଲୁ ମୁଁ କେମିତି ଖାଇଥାନ୍ତି ଯେ।"


ଅନାଏଁ ଟିକେ ବୋଉ ମୁହଁକୁ

ଯେ କିଛି ଚାହିଁନି ମୋ ଠାରୁ

କେବଳ ଦେଇଛି

ଆଉ ସ୍ତ୍ରୀ ଦେଉ ନ ଦେଉ

ଫର୍ମାଇସ ଅନେକ

ଥର ଥର ହାତ ଗୋଡ଼

ଉଠି ଆସି କୁହେ ବୋଉ

ଏତେ ଡେରିରେ କାହିଁକି ଆସୁଛୁ 

ଦେ ଦେ ଖାଦ୍ୟ ଗରମ କରି ଆଣେ

ଜଗି ବସେ

ମୋ ବାସନ ଧୋଇ ଧାଇ ଦିଏ

ସ୍ତ୍ରୀ କିନ୍ତୁ ରାଗିକୁହେ 

"ପୁଅ ସୁଆଗ ଦେଖେଇ ହେଉଛନ୍ତି"

ମାଆ ଏ କଥା ଶୁଣି ଥିରକି

ତା ଶୋଇବା ଘରକୁ ଚାଲିଯାଏ

ମୁଁ କିନ୍ତୁ

ବଡ଼ ହେବା ଗଣିତ କଷୁଥାଏ।


କେଜାଣି ବଡ଼ ହେବି ବୋଲି

କେତେ ଇଚ୍ଛା କରୁଥିଲି

ଏଇ ବଡ଼ ହେଲା ପରେ

ସେ ଇଛା କୁଆଡେ ମଲେ

ଭାରି ଖୋଜୁଛି ବାପାଙ୍କ ତାଗିଦ୍

ବୋଉ ଆଖିର ହସ

ଢିଲା ପ୍ୟାଣ୍ଟ୍

ଖୋଲା ମନ

କୁର କୁରି ଖାଇ ଆଙ୍ଗୁଠି ଅଗ ଚାଟିବା।


ମୋତେ ଯେମିତି ଏଇ ବଡ଼ ଖୋଳପାଟା

ଭାରି ଟାଇଟ୍ ପ୍ୟାଣ୍ଟ୍ ପରି

କଟ୍ କଟ୍ କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy