ବଚନେ କି ଦରିଦ୍ରତା
ବଚନେ କି ଦରିଦ୍ରତା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୋ ପାଖରେ ନାହିଁ ଦେବାପାଇଁ କିଛି
ଅଛି ଖାଲି ଅନୁଭବ,
ଅତ୍ମୀୟତା ପଣେ ବାଣ୍ଟି ମୁଁ ପାରିବି
ତୁମକୁ ନିଜ ସୌରଭ ।
ସେଇ ସୌରଭରେ ସଞ୍ଚିତ ସୁଗନ୍ଧ
ମାନବୀୟ ବଦାନ୍ୟତା,
ବ୍ୟକ୍ତିରେ ବ୍ୟକ୍ତିରେ ସୁସ୍ଥ ସମ୍ପର୍କର
ପବିତ୍ର ମାନବିକତା ।
ମାନବିକତାର ବୈଦିକ ମନ୍ତ୍ରରେ
ସଂକଳ୍ପର ଶ୍ରୀ ମନ୍ଦିର,
ମନ ତୁଳସୀର ସିଦ୍ଧ ମହକରେ
ସମ୍ପର୍କର ପୁଣ୍ୟ ଘର ।
ଧନ ତ ରଖିନି ଅଛି ଏକ ମନ
ଅମୂଲ୍ୟ ରତନ ପରି,
ଦେଇ ଚାଲିଥିବି ତୁମ ପଣତକୁ
ଅତ୍ମୀୟତା ଅନୁସରି ।
ଜାଣେନା ହେବି ମୁଁ ପ୍ରତିବଦଳରେ
ସଫଳ ଅବା ବିଫଳ,
ତଥାପି ପାଉଛି ଆତ୍ମ ଅର୍ପଣରେ
ସମର୍ପଣ ପ୍ରତିଫଳ ।
ପ୍ରତି ମୁହୂର୍ତ୍ତକୁ ସଜେଇ ଜାଣିଲେ
ଜୀବନ ଅତି ସୁନ୍ଦର,
ସତେକି ତା' ଗୀତ ସୁଗମ ସଙ୍ଗୀତ
ନିଆରା ତା' ଅନ୍ତଃସ୍ୱର !
ବଚନ ମଧୁର ମଣିଷ ସୁନ୍ଦର
ଗଢ଼ିଥାଏ ଆତ୍ମୀୟତା,
ମିଠା କଥା କହି ହସି ଖେଳି ରୁହ
ବଚନେ କି ଦରିଦ୍ରତା !