ବୈଶାଖର ଏକ ରାତି
ବୈଶାଖର ଏକ ରାତି
ରାତି ଆସେ ସୁଗନ୍ଧରାଜର ଆଶ୍ୱାସନା ନେଇ
ମନେଇବାକୁ ଦ୍ବିପ୍ରହରର ଦେହଜଳା ଆକଟ ଉତ୍ତାରୁ,
ପେଟ ଭର୍ତ୍ତି ପଖାଳର ହାକୁଟି ଆସେ
ଘୁମେଇ ପଡ଼ିବାର ଟିକେ ଅବସର ଭିତରୁ।
ଅଦୂର କଦଳୀ ବନରୁ ସାଇଁ ସାଇଁ ଶବ୍ଦ କରି
ବହି ଆସେ ଶୀତୁଆ ପବନ
କେଜାଣି କେ ରଖିଥିଲା ଲୁଚାଇ ଅଣ୍ଟିରେ
ନିଆଁଲଗା ବୈଶାଖର ତତଲା ଝାଞ୍ଜି ନଜରରୁ,
ଛୁଇଁଯାଏ ଯେବେ ଧୀରେ ମଥାନରୁ ତଳିପା ପର୍ଯ୍ୟନ୍ତ
ସତେକି ଅମୀୟ ଧାରା ଝରିଆସେ କାହୁଁ
ଜୋଛନାରେ ଭିଜା ଭିଜା ସ୍ଵଛ ଆକାଶରୁ।
ଅନ୍ଧାର ବି ଭୟ ଲାଗେନାହିଁ
ସତେ କି ଖାଇ ଗୋଡ଼ାଏ କେହି ଜଣେ ଘରଟା ଭିତରେ
ରାତି ଏମିତି କଟି ଯାଆନ୍ତା କି ବାହାରେ ବାହାରେ
ସ୍ୱପ୍ନ ବି ଆସନ୍ତି ନାହିଁ ନିଦ ଥରେ ଆବୋରି ବସିଲେ
ଡେଇଁଯାଏ ସକାଳ ପାଚିରୀ ଗହିରିଆ ନିଦ
ଆଉ ଟିକେ ଲାଗିଯାଏ ସୁଲୁସୁଲୁ ଶୀତ ପବନରେ।
ଭିଡ଼ର ଆୟୁଷ ବଢ଼େ ରାତି ହେଲେ ତତଲା ରକ୍ତର
ଥଟା ପରିହାସ ସବୁ ଜମିଉଠେ ବିଳମ୍ବ ପ୍ରହରେ,
କେବେ ହସର ପସରା କେବେ ତୁଛା ବାକ ବିତଣ୍ଡାରେ
ଖଟି ଭାଙ୍ଗେ ଇଛା ନଥାଇ ବଡ ମାନଙ୍କର କଡ଼ା ଆକଟରେ।
ହାବୁକାଏ ମଲ୍ଲୀ ବାସ ଆସି ଚହଟାଏ ଦେହ ମନ ପ୍ରାଣ
ସେଥିପାଇଁ ଶ୍ରଦ୍ଧା ଜାଗେ ରୁକ୍ଷ ବୈଶାଖକୁ ଅଚାନକ ପୁଣି
ଦିନଯାକର କ୍ଳାନ୍ତି ତୁଟେ ରାତିର ଏ ନିରୋଳା ପ୍ରୀତିରେ
ଏଇତ ଜୀବନ !
ସୁଖକର ରାତିଟିଏ ଆସେ ପ୍ରତିଥର ଯନ୍ତ୍ରଣାର ତପ୍ତ ନିଆଁ ପରେ।