ବାଟ ଓଷା
ବାଟ ଓଷା
ବାରମାସେ ତେର ପର୍ବ ପଡିଥାଇ
ଓଡ଼ିଆ ବାସୀଙ୍କ ପୁରେ,
ଶୁଦ୍ଧ ମନେ ଶୁଦ୍ଧ ଚିନ୍ତନରେ
ଦେବତା ଆସନ୍ତି ପ୍ରୀତିରେ ।
ଓଡ଼ିଆର ନାରୀ ହୋଇ ସୌଭାଗିନୀ
ପତି ସନ୍ତାନ ଆୟୁଷ ମନାସି,
ବିଭୂପାଦ ସେବିଥାଏ ଓଷା ବ୍ରତ ପାଳି
ହୋଇ ମନେ ଭାରି ଖୁସି ।
ପୌଷ ମାସ କୃଷ୍ଣ ଦ୍ଵିତୀୟା ତିଥିରେ
ପଡେ ବାଟ ଓଷା ପାଳନ୍ତି ବିଧିରେ,
କୃଷକର ନାରୀ ମୁଖେ ଖୁସିର ଲହର
ପାଳିବାକୁ ଯମ ଓଷା ହୋଇ ଆଗଭର ।
କେତେ ପିଠା ପଣା କରି ଶ୍ରଦ୍ଧା ଭକ୍ତିରେ
ମହାକାଳ ଙ୍କୁ ଯାଚି ଯେ ଦିଅଇ,
ଅଝମର ଆଶିଷ ପାଇଁ
କାଳ ମହାରାଜଙ୍କୁ ମାଗଇ ।
ଚଲାପଥ ମଧ୍ୟେ ସ୍ଥାପି
ପନ୍ଥାଇ ନାରୀ ଯେ,
ଶୁଦ୍ଧ ଶରୀରେ ଶୁଦ୍ଧ ମନେ
ଗୋବର ଲିପିଯେ ।
ହଳଦୀ,ଜଳ, ସିଞ୍ଚନେ ପବିତ୍ର କରନ୍ତି
ଚନ୍ଦନ, ସିନ୍ଦୂର, କଳା ପନ୍ଥାଇରେ ମାରନ୍ତି,
ଦୁବ,ଗୁଆ,ବରକୋଳିପତ୍ର,ଅରୁଆଚାଉଳେ
ଆମ୍ବଡାଳ ମଧ୍ୟେ କଳସ ସ୍ଥାପନା କରନ୍ତି ।
ବଜ୍ରମୂଳୀ,ଆଖୁ,ମୂଳା,କଦଳୀ
ସୋରିଷଫୁଲ, କୁସୁମ ଫୁଲେ ସଜାଇ,
ଝୁଣା,ଦୀପ,ଧୂପ,କର୍ପୁର
ଗୁଗୁଳର ବାସ ଛୁଟିଥାଇ ।
ପନ୍ଥେଇକୁ ଆବୋରି ସାତ ନାରୀ ଯେ ବସନ୍ତି
ହୁଳହୁଳି ଶଙ୍ଖ ନାଦେ ପୁର କମ୍ପାଇ ଦିଅନ୍ତି,
ମୁଆଁ, ମଣ୍ଡାପିଠା, ବରା, ବୁଢ଼ା ଯେ ଚକୁଳି
ଛେନା, କ୍ଷୀର, ଗୁଡରେ ପଣାଦେଇଥାନ୍ତି ମିଶାଇ କଦଳୀ ।
ଦେଇ ନାନାଦ୍ରବ୍ୟ ମହାକାଳଙ୍କୁ
ସନ୍ତୁଷ୍ଟ କରନ୍ତି,
ପନ୍ଥେଇ ପାଶରେ ନାରୀ
ଯମ ଦେବତା ମାହାତ୍ମ୍ୟ ଗାଆନ୍ତି ।
ଏ ଓଷା ଯେ କଲେ ନାରୀ
ଅପୁତ୍ରିକ ପୁତ୍ରବତୀ ହୁଏ,
ଏ ବ୍ରତ ପାଳି ନିଷ୍ଠାରେ
ଆୟୁ ଯଶ ବୃଦ୍ଧି ପାଏ ।
ସେଥିପାଇଁ ଏ ପୂଜା ପାଳି ଘରେ ଘରେ
ଦୁଃଖ ନେଇ ସୁଖ ପାଇଁ କରନ୍ତି ଅଳିରେ,
ପୂଜା ଶେଷେ ପ୍ରସାଦ ସଭିଙ୍କୁ ବାଟନ୍ତି
ଖୁସି ମନେ ସ୍ଵ ସ୍ଵ ଗୃହକୁ ଫେରନ୍ତି ।
ଏହିପରି ଓଡ଼ିଆର ନାନା ବ୍ରତ କଥା
ଶୁଦ୍ଧ ମନେ ବାଣ୍ଟୁ ଥିବା ଏହି ସବୁ ବାର୍ତ୍ତା l