ବାଟ ଛାଡ଼
ବାଟ ଛାଡ଼
ଆରେ ହେ, ଟିକେ ହଟିଯାଅ, ବାଟ ଛାଡ଼,
ଅରଣା ମଇଁଷି ଆସିଲା ଭାଙ୍ଗି ସବୁ ବାଡ଼|
ସେ ତ କେବେ କେଉଁଠି ରହେ,ସେ ଜାଣେ,
ବଡ଼ ଅମାନିଆ, ଭଲ କଥା କେବେ ନ ଶୁଣେ |
ଗୋଠ ତାର ଅଲଗା, ପଡ଼େନା ସେ ଧରା,
ସଭିଙ୍କୁ ଲାଗଇ ବଡ଼ ଶାନ୍ତ ସୁଧାର ପରା |
ବଡ଼ ବଡ଼ ଆଖିରେ ସେ ସବୁ କିଛି ଦେଖେ,
କିନ୍ତୁ, ଅଦେଖା ପରି ନାଟକ ତ ସେ ରଚେ |
କେବେ ଯଦି ରହିଯାଏ ସୁସଙ୍ଗତରେ,
ବେଶୀ କ୍ଷଣ ନିଜକୁ ସମ୍ଭାଳି ସେ ନପାରେ |
ବେଳେ ବେଳେ କରେ କିଛି ସୁନ୍ଦର ଚର୍ଚ୍ଚା,
କିନ୍ତୁ, ଭିତରେ ଭିତରେ ଖୋଜେ ତାର ଖର୍ଚ୍ଚା |
ଯେବେ କେହି ଦିଏ ତାକୁ କେବେ ବି ଆଶ୍ରୟ,
ଛେଦି ତାର ପକ୍ଷକୁ କରେ ସେ ନିରାଶ୍ରୟ |
ମାନେନା ସେ ଏ ଦୁନିଆର କିଛି ବି ନିୟମ,
ଭାବେ ଶ୍ରେଷ୍ଠ ଜ୍ଞାନୀ ଅଟେ, କରଇ ସେ ଭ୍ରମ |
ଆଚରଣ ଅଟେ ତାର ସଦା ବଡ଼ ବିଶୃଙ୍ଖଳିତ,
ଲାଗେ କିନ୍ତୁ ସଦା କରିବାକୁ ସେ ମିଥ୍ୟାକୁ ସତ |
ଦେଖାଏ ସେ ସଭିଙ୍କୁ ସଜାଇ ନିଜ ଚେହେରାକୁ,
ମାୟା ଜାଲେ ଚାହେଁ ସେ ସଭିଙ୍କୁ ତ ଛନ୍ଦିବାକୁ |
କେହି କେହି ଛନ୍ଦି ହୋଇ ତାର ସେ ମାୟା ଜାଲରେ,
ଛାଡ଼ନ୍ତି ବୋବାଳି ଯେବେ ପଡନ୍ତି ବିପଦରେ |
ବଡ଼ ସେ ଚତୁର, କେବେ କାହା ହସ୍ତେ ପଡେ ନାହିଁ ଧରା,
ଅତି ଗର୍ବେ ଅନ୍ଧ ହୋଇ ଭାବେ, ସର୍ବ ଶକ୍ତିମାନ ପରା |
ସେ ତ କରେ ଅଭିନୟ ଭିନ୍ନ ଭିନ୍ନ ରୂପେ,
କିନ୍ତୁ ନ ଆସଇ ସେ ସତ୍ୟର ସମୀପେ |
କେବେ କରେ ସେ ତ କୁମ୍ଭୀର କାନ୍ଦଣା,
ତା ମାୟା ତ ଅଟେ ଖାଲି ଈଶ୍ୱରଙ୍କୁ ଜଣା |
ସେ ତ ଅଟେ ଏକ ବଡ଼ ମାୟାବୀ ପ୍ରାଣୀ,
ତା ଅନ୍ତର କଥା ସଭିଏଁ ନ ପାରନ୍ତି ଜାଣି |
କିଣିବାକୁ ଅନ୍ୟର ମନ କରେ ସେ ପ୍ରୟାସ,
ବିଛାଇ ସେ ସେଥିରେ ତା ମାୟାର ଫାସ |
ରହିଥାଏ ଚାହିଁ ସେ ସୁଯୋଗ ର ଅପେକ୍ଷାରେ,
ବେଳ ଉଣ୍ଡି ସେ ତ ଧୀରେ ଧୀରେ ପୁଣି ଉଙ୍କି ମାରେ |
ବେଳହୁଁ ଯଦି ନ ହେବ କେହି ସାବଧାନ,
ବାଟ ଛାଡ଼ କହି, ପଶି ନାଶିବ ସେ ଜୀବନ |
ତାର ଏହି ବାଟ ଛାଡ଼ ବୁଦ୍ଧିକୁ କରିବାକୁ ହେବ ନଷ୍ଟ,
ତେବେ ଯାଇ କଟିବ ଜୀବନ ର କିଛି ରିଷ୍ଟ |
ଡରିବାର ନାହିଁ ତାକୁ ଭାବି ଅରଣା ମଇଁଷି,
ଶିଙ୍ଘ ତାର ନାହିଁ ଏବେ, ନ ପାରିବ ସେ ଭୁଷି |
ବାଟ ଛାଡ଼ ବାଟ ଛାଡ଼ କହୁଥିବ ସିଏ,
ପୁଣି ତା ରୂପକୁ ଦେଖିବ ବା ଆଉ କିଏ ?
