ବାର୍ତ୍ତା
ବାର୍ତ୍ତା
ଆଜି କାଇଁ ଖୁବ୍
ମନେ ପଡୁଚି ତୋ
କୁନି କୁନି ଓଠର ଦରୋଟି ହସ
ନିହାତି ସରଳ ଆଉ ନିଷ୍ପାପ
ହାତ ଧରି ଭୂଇଁରେ ପ୍ରଥମ
ପାଦ ଥାପିବାର ଖୁସିରେ ଆତ୍ମହରା
ଉଛୁଳି ପଡ଼ିଥିଲା ଦୁର୍ବୋଧ୍ୟ କିଛି ଶବ୍ଦ
ମୁଁ ବି ମାତୃତ୍ଵ ଗୌରବରେ ବିଭୋର
ପ୍ରଥମ ଥର ଏକା ଏକା
ଛୋଟିଆ ନୀଡକୁ ଛାଡି
ପଦାକୁ ବାହାରିଚୁ ତୁ
ଆଖିରେ ଆକାଶକୁ ଜିଣିବାର ସ୍ୱପ୍ନ
ଶିଖିବାର ଅନେକ ଅଛି ବାକି
ଧୀରେ ଧୀରେ ଦୁନିଆ ଚିହ୍ନିବୁ
ପଣତର ଆଢୁଆଳ ନ ଥିବ
କି ଦୃଢ ବଟବୃକ୍ଷର ଛାଇ
ସଦା ମନେ ରଖିଥିବୁ
ଏଠି ହାରିବାରେ ନାହିଁ ବିଶାଦ
କି ଜିତିବାରେ ଉନ୍ମାଦନା
ସବୁ ଖାଲି ନିଚ୍ଛକ ଅଭିନୟ ମାତ୍ର
ତୁ ପ୍ରକୃତ ବାସିନ୍ଦା
ଅନ୍ୟ ଏକ ଆନନ୍ଦମୟ ଜଗତର
ଆରମ୍ଭଟା ଯେତିକି ନାଟକୀୟ
ଯବନିକା ସେତିକି ବାସ୍ତବ ସତ୍ୟ