STORYMIRROR

SARATA KUMAR DAS

Inspirational Others

4  

SARATA KUMAR DAS

Inspirational Others

ବାପାଙ୍କ ଲୁହ

ବାପାଙ୍କ ଲୁହ

2 mins
325


ସେଦିନ ହଠାତ ମୋ ନଜରକୁ

ଆସିଗଲେ ମୋ ବାପା ।

ଦାଣ୍ଡ ପିଣ୍ଡାରେ ଛିଡା ହୋଇଥିଲେ

ଏକା ଏକା ଚୁପ୍ ଚାପ୍ ,

ଖସି ପଡୁଥିଲା ମାଟିକୁ

ତାଙ୍କ ଆଖିରୁ ଟୋପା ଟୋପା ଲୁହ।

ବାପା ଲୁଚି ଲୁଚି ଲୁହ ପୋଛୁଥିଲେ

ସମସ୍ତଙ୍କ ଅଲକ୍ଷ୍ୟରେ

ଅଣ୍ଟାରେ ବାନ୍ଧିଥିବା ତିନିହାତର 

ଚିରା ଫଟା ମଇଳା ଗାମୁଛାରେ ।


ମୁଁ ଖଣ୍ଡେ ଦୂରରୁ ବାପାଙ୍କ ଗତିବିଧି

ଠିକ୍ ଭାବେ ଲକ୍ଷ୍ୟ କରୁଥିଲି ବାରବାର୍

ଭାରି ଅନ୍ୟମନସ୍କ ଥିବାର ଜଣା ପଡୁଥିଲେ ସେ,

ଆହୁରି ଟିକେ ପାଖେଇ ଆସିଲି 

ଲକ୍ଷ୍ୟ କଲି ଖୁବ୍ ସତର୍କରେ

ମାତ୍ର ନିକଟକୁ ଯିବାକୁ ସାହାସ ବାନ୍ଧି ପାରିନଥିଲି 

ତାଙ୍କ ପାଖକୁ ଯିବାପାଇଁ ସେଦିନ ।

ସତେ ଯେପରି ମୋ ଛାତିର ହାଡସବୁ

ଭାଙ୍ଗିରୁଜି ଚୁରମାର ହୋଇ ଯାଉଥିଲା 

ତାଙ୍କ ଆଖିର ସେ ଟୋପା ଟୋପା ଲୁହର ବିନ୍ଦୁରେ ।


ଡେଙ୍ଗା ମଣିଷଟିଏ ଭାରି ସାଧା ସିଧା

ଧୀରସ୍ଥିର ପୁଣି ମିଷ୍ଟଭାଷୀ,

ଅନେକ ଅଭାବକୁ ସେ ଦେଖିଛନ୍ତି ଅତି ପାଖରୁ

ଯେତିକି ରୋଜଗାର କରୁଥିଲେ

ଚଳି ଯାଉଥିଲା କୌଣସି ପ୍ରକାର କୁଟୁମ୍ବ 

ଶାଗ ପଖାଳର ଦୁନିଆ ,

ଆମ ତିନିଭାଇଙ୍କୁ ମଣିଷ କରିବାର ଏକ 

ଅଭଙ୍ଗା ସଂକଳ୍ପରେ ସେ ଯେମିତି ଜୀବନ 

ଜୀଇଁବାକୁ ଚେଷ୍ଟା କରୁଥିଲେ ।


ଏବେବି ତାଙ୍କ ଲମ୍ବା ହାତର ସ୍ପର୍ଶ 

ଭିଜାଇ ଦିଏ ମୋତେ ଶୀତଳତାର ନୂଆ ପୁଲକରେ,

ଗୋଟିଏ ଥାଳିରେ ସାଙ୍ଗହୋଇ ଖାଇବାର

ଅଦ୍ଭୁତ ଆକର୍ଷଣ ବାନ୍ଧି ଦିଏ ମୋତେ 

ଏକ ନିଆରା ଓ ଦିବ୍ୟ ଅନୁଭବରେ ।


ଏବେବି ନିଜେ ନ ଖାଇ ସେ ନିଜ ହାତେ

ମୋ ଆଡକୁ ବଢାଇ ଦିଅନ୍ତି ସୁସ୍ବାଦୁ ତରକାରୀ 

ଆଉ କେବେ ମାଛ କିମ୍ବା ମାଂସ ଦୁଇ ଖଣ୍ଡ 

କେବେ କେବେ କେମିତି ତାଗିଦ୍ ବି କରନ୍ତି 

ଦୁଇଗୁଣ୍ଡା ବଳେଇ ଖାଇବାକୁ 

କାଳେ ମୋ ପେଟ ପୂରିନଥିବ ବୋଲି ।


କେବଳ ବାପାମାନେ ହିଁ ନିଜ ପେଟ କାଟି

ଦେଇ ପାରନ୍ତି ନିଜ ଥାଳିର ଅଧେକ ଆହାର,

ସବୁତକ ଲୁହ ପିଇଯାଆନ୍ତି ଆଞ୍ଜୁଳା ଆଞ୍ଜୁଳା 

କୋଠର ଛାଉଣି ଭିତରେ 

ଯେମିତି ଗୋଟିଏ ଦରଦୀ ଭାବର 

ମୃଦୁ ଶିହରଣ ଚକ୍କର କାଟୁଥାଏ ବାରମ୍ବାର ।


ଆଜି ମୁଁ ଠିକ୍ ଅନୁଭବ କରୁଛି ସେଦିନର

ମୋ ବାପାଙ୍କ ଲୁହର ଗମ୍ଭୀରତା ଓ ଗଭୀରତା 

କେତେ ନୀବିଡତା, କେତେ ସରଳତା,

ଆଉ କେତେ ଅବସୋସବୋଧ ,ପୁଣି ଅସହାୟତା ।


କାରଣ ମୋର ବୟସ ବି ଗଡିଯାଇଛି

ବାପାର ପରିଚୟ ନେଇ ମୁଁ ବି ଜୀବନ ଜୀଉଁଛି,

ଲଢେଇ କରୁଛି ସକାଳରୁ ସଞ୍ଜ 

କଣ୍ଠ ଫୁଟାଇ ଚିତ୍କାର କରୁଛି ନିର୍ଜନ ଦ୍ବୀପରେ

ମୁଁ ବାପା.....ମୁଁ ବାପା......ମୁଁ ବାପା......,

ହାରୁ ହାରୁ ଜିତିବାର ଅଭିନୟ କରୁଛି ଅନେକ ଥର 

କେତେବେଳେ ଲକ୍ଷ୍ୟରେ 

ପୁଣି କେତେବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational