STORYMIRROR

Dhirendra Kumar Pradhan

Inspirational

5.0  

Dhirendra Kumar Pradhan

Inspirational

ବାପା

ବାପା

1 min
13.2K


ଜାଳିଥିଲ ତୁମେ ଏ ଦେହ ସଳିତା

ରକତ ତୁମର ମୋ ଦେହେ ଦେଇ

କେତେ ପୁଣ୍ୟବନ୍ତ ଅଟଇ ମୁଁ ଯେ

ଜନମିଲି ତୁମ ସନ୍ତାନ ହୋଇ ।।


କେତେ ଗେଲ କଲ ସରାଗ ଦେଲ

ବଡ କରିଅଛ କାନ୍ଧେ ବସାଇ

ଯେତେ ଖାଲଢିପ ଜୀବନେ ଆସିଛି

ପଛେଥାଇ ମୋତେ ନେଲ କଢାଇ ।।


ଆକଟ କରିଛ ମାଡବି ମାରିଛ

ଭଲ ମଣିଷଟେ ଗଢିବା ପାଇଁ

ଶାନ୍ତିରେ କେବେବି ଖାଇତ ପାରିନ

କାନ୍ଦିଛି ଯେବେ ମୁଁ ଲୁହ ଗଡେଇ ।।


ପୁଅ ପୁଅ ଡାକ ଯେବେ ଖସି ପଡେ

ସାମର୍ଥ୍ୟ ଦେଇଛ ପଛରେ ରହି

ଶାସନ କରିଛ ବାପା ତୁମେ ମୋତେ

କେତେ ଭଲ ଭଲ ସଂସ୍କାର ଦେଇ ।।


ରୋଗ ବଇରାଗ ଖାତିର ନକରି

ରୋଜଗାର କର ଆମରି ପାଇଁ

ଅଭାବେ ଓପାସ ସହିଯାଅ ବାପା

ଦୁଃଖକଷ୍ଟେ ଲୁହ ଲୁଚେଇ ଦେଇ ।।


ତୁମେ ବାପା ମୋର ନନ୍ଦିଘୋଷ ରଥ

ତୁମେ ବାପା ମୋର ଜୀବନ ପଥ

ତୁମେ ବାପା ମୋର ଗୀତା ଭାଗବତ

ତୁମେ ବାପା ଆମ ଘରର ଛାତ ।।


କିଚିରିମିଚିରି ଡାକଦେଇ ଖେଳୁ

ତୁମେ ବାପା ଏକ ବିଶାଳ ବୃକ୍ଷ

ତୁମେ ବାପା ଅଟ ମୋ ଘର ନକ୍ଷତ୍ର

ତୁମ ଚାରିପଟେ ଆମରି କକ୍ଷ ।।


ବାପାଙ୍କ ଛାତିଟା କେତେ ଯେ ବିଶାଳ

ଭିତରେ ହୃଦୟ କେଡେ ମହାନ

ଭାଗ୍ୟବାନ ବୋଲି ନିଜକୁ ଭାବନ୍ତି

ଯେବେ କରିଥାନ୍ତି ସେ କନ୍ୟା ଦାନ ।।


ତୁମରି ନାମରେ ସମାଜ ଚିହ୍ନଇ

ତୁମ ପାଇଁ ଆଜି ଏଇ ଇଜ୍ଜତ

ତୁମ ବିନା ବାପା ଅସମ୍ପୂର୍ଣ୍ଣ ମୁହିଁ

ତୁମ ବିନା ବାପା ମୁହିଁ ଅନାଥ ।।


ଆଶୀର୍ବାଦ ଚାହେଁ ସବୁବେଳେ ମୁହିଁ

ଥିବି ବାପା ତୁମ ଚରଣେ ରହି

ଏ ଘର ଅଗଣା ଏ ଧନ ସମ୍ପତ୍ତି

ତୁମ ବିନା ବାପା ମୂଲ୍ୟ ତ ନାହିଁ। ।।


ତୁମେ ବାପା ମୋର ମାଆର ସିନ୍ଦୂର

ସୀମନ୍ତରେ ଥାଅ ହୋଇ ମୁକୁତା

ତୁମେ ହସୁଥିଲେ ମାଆ ହସୁଥିବ

ହସୁଥିଲେ ହେବି ଜଗତଜିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational