ବାଣ୍ଟିବାକୁ ଚାହେଁନା ପ୍ରେମ
ବାଣ୍ଟିବାକୁ ଚାହେଁନା ପ୍ରେମ
ଦିନଠୁଁ ସକାଳ, ସଞ୍ଜ
ଆଉ ଦିପହର ଛଡେଇନେଲେ
ଦିନର ଆଉ କଅଣ ବଞ୍ଚିଲା ଯେ
ଯାହାକୁ ନେଇ ଗର୍ବ କରିବ ଦିନ ?
ରାତିଠୁଁ ଜହ୍ନ, ଆଉ ତା ନୀରବତାକୁ
ଛଡେଇ ନେଲେ
ରାତିର କଅଣ ରହିବ ଯେ
ସେ ଫୁଲେଇ ହୋଇ ହସିବ
ରଜନୀଗନ୍ଧା ଆଗରେ?
ସାଗରଠୁଁ ତା ଢେଉ
ଆଉ ନୀଳିମାକୁ ନେଇଗଲେ
କଅଣ ରହିଯାଏ ତା'ର ?
ଦିଗନ୍ତପ୍ରସାରୀ ମିଛ ବ୍ୟାପ୍ତି
କିଛି ନିରୋଳା ଗଭୀରତା
ଆଜି ତୁମ ମୁହଁରେ ପୁଣି ଶୁଣିଲି
ଇତିହାସରେ ଭଲ କରି
ଆଲୋଚନା ହୋଇ ନ ଥିବା
ନାରୀର ସେଇ ସର୍ବକାଳିକ ଦାବୀକୁ -
" ମୁଁ ଶତକଡା ଶହେ ଭାଗ ତୁମ ପ୍ରେମ ଚାହେଁ"
ମୁହଁ ଖୋଲି କହି ଦିଅ
ତୁମକୁ ବିଭାଜିତ ପ୍ରେମ ଲୋଡ଼ା ନାହିଁ
ଆଗରୁ ଏମିତି ନ ଥିଲ ମ’
ଏବେ କିନ୍ତୁ
ସମ୍ପର୍କର ବୃତ୍ତ ଭିତରକୁ
ପିମ୍ପୁଡିଟିଏ ପଶି ଆସିଲେ ବି
ତୁମକୁ ସେ ଅତିକ୍ରମଣକାରୀ ଲାଗେ
ତୁମର ବିରୋଧ ଥାଏ
ଏହି ମଣିଷ ବୃକ୍ଷର ଛାଇକୁ
ଯିଏ ସକାଳ ସଞ୍ଜରେ
ଦିଗ ବଦଳାଇ ପଡେ
ଏ ବଗିଚାରେ,
ସେ ବଗିଚାରେ
କଅଣ ହେବ ସେ ପଇସା
ମୋ ନାଁ, ଗାଡିଘୋଡା
ତୁମ ନାଆଁରେ ନାମିତ କରିଥିବା
ପୁଷ୍ପ ବାଟିକା ଆଉ ଯାହା କିଛି
ଯେବେ ତୁମେ କହି ଦେଲ
ମୋ ଆଲିଙ୍ଗନ କାହିଁ ଲାଗେ
ନିରର୍ଥକ ଟଣା ଓଟରା
ହସ ଲାଗେ ଛଳନା ।
ହାୟ, ମୁଁ ତର୍କ ହରାଇ ବସେ,
ତୁମର ଯୁକ୍ତି ବି
କିଛି ମନ୍ଦ ନୁହେଁ !
ତାରାକୁ ଆକାଶରୁ ତୋଳିନେଲେ
ରାତି ଆକାଶର କ’ଣ ରହିବ ?
ଗ୍ରହ ତାରା ହୀନ ନିସ୍ବ ଆକାଶ
ସବୁ କୋଳି ଝଡି ଯାଇଥିବା
ଶେଷ ଶୀତର ବରକୋଳି ଗଛ ପରି
କେବଳ ଯାହା ଛିଡା ହୋଇ ରହିବ
ଅଫେରା ଋତୁକୁ ଚାହିଁ ।

