ବାଣୀ ଆବାହନ
ବାଣୀ ଆବାହନ
ନମୋସ୍ତେ ବୀଣା ଧାରିଣୀ
ମାତ ବୀଣାପାଣି
ଶ୍ୱେତ ପଦ୍ମାସନା ସ୍ଥିତା
ବିଷ୍ଣୁ ପାଟରାଣୀ
ଭଗବତୀ ସରସ୍ବତୀ,
ସୁରାସୁର ନାଗ ନର
ପାଦେ କରି ସ୍ତୁତି l
ଚଞ୍ଚଳ ନୟନ ମାଗୋ
କଜ୍ଜଳେ ଉଜ୍ଜଳ
ଗଳାରେ ଶୋଭିତ ହେମ
ମଣି ମୁକ୍ତା ମାଳ
କର୍ଣ୍ଣେ କନକ କୁଣ୍ଡଳ,
ଚଂଚଳା ଚମକ ଜିଣି
ଆନନ ମଣ୍ଡଳ l
ଲେଖନୀ ପୁସ୍ତକ ବେନି
କରେ ଶୋଭାବନ
ତରୁଣ ତରଣୀ ଜିଣି
କିରୀଟି କିରଣ
ପରିହିତା ଶ୍ୱେତ ବସ୍ତ୍ର,
ବାଣୀ ନାରାୟଣୀ ବାକ୍ୟ-
ଦେବୀ ଆଦିମାତ l
କିଂଚିତରେ ଅନୁଗ୍ରହ
ହୋଇଲେ ଜନନୀ
ମହାମୂର୍ଖ ଅନର୍ଗଳ
ପାରଇ ବଖାଣୀ
ବାକ୍ୟଦେବୀ ବିଦ୍ୟାଦାତ୍ରୀ,
ଗଳାରେ ଖେଳାଅ ପଦ
ବସି ମା ଭାରତୀ l
ନମୋ ପଙ୍କଜ ବାସିନୀ
ପଙ୍କଜ ପୟର
ଦିଅ ମା ଅଭୟ ଦୀନ
ହୀନ ତୋ କୋୟର
ଗୀତେ ପ୍ରେମାନନ୍ଦ ଭାଷ,
ଦୟାମୟୀ ପୂର୍ଣ୍ଣକର
ମୋର ଅଭିଳାଷ ।
