ବାହାଘର: ବେଦୀରୁ ସବାରି ଦୂର
ବାହାଘର: ବେଦୀରୁ ସବାରି ଦୂର
ବାହାଘର ନୁହେଁ ବାଲିଘର
ଉତ୍ତାଳ ତରଙ୍ଗେ ହେବ ଧୂଳିସାତ
ଜନମ ଜନମ ସାତ ଜନ୍ମକୁ ବନ୍ଧନ
ସେ ବନ୍ଧନ କେବେ ତୁଟେନା;
ହାତ ପରେ ହାତ ରଖି ସପ୍ତପଦୀ ରେ
ଚାଲିଥିଲ ସେଦିନ ଅଗ୍ନିକୁ ସାଖି ରଖି
ମିଛଟାରେ କାହିଁ କରୁଛ ଜର ହେବାର ବାହାନା!?!
ଉତ୍କୃଷ୍ଟ ସମୟ ପ୍ରାପ୍ତ ବୟସ ବିଧି ଲିଖନ
ପିତା ମାତାଙ୍କ ଆଶୀର୍ବାଦ ବଳେ
ହୋଇଥାଏ ଦୁଇଟି ଅଜଣା ମନର ମିଳନ।
କଥୋପକଥନ ସ୍ବୀକାର୍ଯ୍ୟ ଲଗନ ପରେ ମଙ୍ଗନ
ବାଇଦ ବାଜା ବାଣ ରୋଷଣୀ ସଙ୍ଗେ
ବରଯାତ୍ରୀଙ୍କ ସହିତ ବର ଉପସ୍ଥିତ ବେଦୀ ପ୍ରାଙ୍ଗଣ।
କନ୍ଯା ପିତା କନ୍ଯା ଘର
ଅଜଣା ଭୟରେ ଥରହର
କେମିତି ବିଦା ହେବେ ବରଯାତ୍ରୀ
ଭଲ ମନ୍ଦ କେହି ନକରନ୍ତୁ ବାଛ ବିଚାର।
ଶଶୁର କରନ୍ତି ବାଟ ବରଣ
ଶିଳପୁଆ ପରେ ଜ୍ବାଇଁଙ୍କ ପଦଧୌତ କରିଣ
ଶାଳୀ ମାନେ ଆପ୍ଯାୟିତ କରନ୍ତି
ଲସି ସରବତ କରେଇ ସେବନ।
ଛନକା ପଶିଯାଏ କନ୍ଯା ଛାତିର
କେମିତି ତା ମନର ମଣିଷ
ସତେକି ଛୁଇଁଦେଲେ ଆସିଯିବ ତାକୁ ଜର!
ହାତ ଗଣ୍ଠି ଫିଟେଇବା ବେଳେ ଶାଳି ମହାଶୟା
ଜ୍ୱାଇଁଙ୍କ ପେଳେହି ପାଣି
ଭଲକରି ପାଉଣା ନଦେଲେ ଏବେ
ସାରା ଜୀବନ ଗଞଣା ସହିବାକୁ ହେବ ପୁଣି।
ଖଇ ପୋଡା ଯୋଡ ଶଳା କୁ ପସନ୍ଦ ନହେଲେ
ନିର୍ଘାତିଆ ବାଜିବ ଶଳା ବିଧା
ସାହି ପଡିଶା ଡାକି ହାକି ଦେଖେଇ କହିବେ
ଜ୍ୱାଇଁ ପୁଅଟା ବଡ ନିଗିଧା।
ପଖାଳ ଖିଆ ବେଳେ ଆଈ ଶାଶୁ ବୁଝେଇ କହିବେ
ନାତୁଣୀ ମୋର ଲାଗିଲା ତୁମକୁ
ପରକିୟା ପ୍ରୀତି ଛାଡିଦିଅ ଦାଣ୍ଡ ବୁଲା ନିତି ଏବେ
ହାତ ଛାଡିବନି କେବେ ଜନମ ଜନ୍ମକୁ।
ସବୁ ଜର ଛାଡ଼ିଯାଏ
ଯେବେ ଶାଶୁ ମାଆ ବାହୁନନ୍ତି ଜ୍ୱାଇଁଙ୍କୁ ଧରି
ଜ୍ୱାଇଁ ବିଚରା ଅସହାୟ
କେମିତି ବୁଝାଇବ ଶାଶୁଙ୍କୁ
ଆଜିଯାଏ ଯିଏ ଥିଲା ଝିଅ କାଲିଠାରୁ ସେ ହେବ
ତା ମନର ମଣିଷ ପ୍ରେମ ପ୍ରଣୟର ରାଜକୁମାରୀ।
ବାହାଘର ସେ ତ ବାଲିଘର ନୁହେଁ
ପାଣି ଆଞ୍ଜୁଳାଏ କରିଦିଏ
ପରକୁ ନିଜର ପୁଣି ଆପଣାକୁ ପର
ବାହା ବେଦୀରୁ ସବାରି ଯେତିକି ଦୂର
ସେତିକି ଦୂରେ ଥାଇ ପ୍ରିୟା ମୋର
ଗଣୁଛି ସ୍ପନ୍ଦନ ଗଢିବାକୁ ତା ସଂସାର।