Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Romance Inspirational

4  

Hrushikesh Satpathy

Romance Inspirational

ପ୍ରୀତିର ପ୍ରମାଣପତ୍ର

ପ୍ରୀତିର ପ୍ରମାଣପତ୍ର

1 min
379


କହିଦେଲି ସିନା ଲେଖିଦେବି ବୋଲି

ତୁମ ନାମେ କେଇ ପଦ

ଲାବଣ୍ୟବତୀର ରୂପ ଆଙ୍କିବାରେ

ନ୍ୟୂନ ମୋ' ଶବ୍ଦ-ସମ୍ପଦ ।


ଚେହେରା ଭିତରେ ଲୁଚି ରହିଅଛି

ମାନସରୋବର ଚିତ୍ର

ହୃଦୟ ତୁମର ଦେଇ ତ ସାରିଛି

ପ୍ରୀତିର ପ୍ରମାଣପତ୍ର ।


ଏ ପ୍ରମାଣପତ୍ର ସେତେ ଶସ୍ତା ନୁହେଁ ,

ବଜାରେ ବିକ୍ରି ହୁଏନି

ତୁମ ଭାବନାର ବର୍ଦ୍ଧିତ , ମାର୍ଜିତ ,

ଅନ୍ତଃସ୍ବରର ରାଗିଣୀ ।


କାହାଣୀଟିଏ ମୁଁ ଲେଖିବି ଭାବିଲେ ,

ତୁମ ଚିତ୍ରପଟ ଭାସେ

ଅର୍ଦ୍ଧନିମୀଳିତ ନୟନରେ ମୋର

ଲୁଚାଇ ଲୁଚାଇ ହସେ ।


ଲେଖିବି ଭାବିଲେ ଲେଖି ହୁଏନାହିଁ

ଅନୁଭବେ ଆଙ୍କିହୁଏ

ଲବ୍ଧପ୍ରତିଷ୍ଠିତା ଲାବଣ୍ୟନାୟିକା ,

କଳ୍ପନାର ରୂପ ନିଏ ।


ରୂପବତୀ ବୋଲି ଲେଖି ପାରିବିନି ,

କରିବିନି ରୂପାୟନ

ଜହ୍ନରାଇଜର ନିଷିଦ୍ଧ ନିଶାର୍ଦ୍ଧେ

ପ୍ରୀତିଲଗ୍ନା ରୁପାଜହ୍ନ ।


ତୁମ ଅଧରର ଅଳପ ହସରେ

ଲକ୍ଷେ ତାରା ଭୁଲୁଣ୍ଠିତା

କୃଷ୍ଣକବରୀ ବି ମୃଦୁ କଥା କୁହେ

ପ୍ରଶସ୍ତା , ପରିମାର୍ଜିତା ।


କଳ୍ପନା ବି ମୋର କ୍ରମାଗତ ଭାବେ

ନଇଁ ନଇଁ ଶଙ୍କିଯାଏ

ଶଙ୍କିଯାଏ ସିନା ସରମି ନରମି

ତୁମ ପ୍ରୀତି-ଗୀତ ଗାଏ ।


କାହିଁକି କେଜାଣି ଏତେ ସରାଗରେ

ତୁମକୁ ମୁଁ ବାଛିନେଲି

ଯୋଗ୍ୟତା ନ ଥାଇ ତୁମରି ଦୁଆରେ

ତୁମ ପାଇଁ ଠିଆ ହେଲି ।


ତୁମେ ତ ବଦାନ୍ୟା , ବିଭୁ-ବିଭୂଷିତା

ମୁହିଁ କ୍ଷୁଦ୍ର ଏକ ଶିଳ୍ପୀ

ତୁମରି ଭିତରେ ହଜିସାରିଛି ମୁଁ

ତୁମ ଚିତ୍ର କଳ୍ପି କଳ୍ପି ।


ଯାହା ହେଉ ପଛେ ହାରିଯିବି ନାହିଁ ,

ଲେଖିବି ମୁଁ କେଇ ପଦ

ତୁମ ରୂପକଳ୍ପ ରୂପାୟନ ପାଇଁ

ସଶ୍ରଦ୍ଧ ପ୍ରତିଜ୍ଞାବଦ୍ଧ ।


ମୋ' ଅଭିଳାଷିତା କାବ୍ୟନାୟିକା ,ଗୋ

ତୁମ ଚିତ୍ର ଆଙ୍କୁଥିବି

ତୁମ ଚାରିତ୍ରିକ ଚର୍ଚ୍ଚା କରୁ କରୁ

ଶିଳ୍ପୀ ହୋଇ ବଞ୍ଚୁଥିବି


Rate this content
Log in

Similar oriya poem from Romance