"ବାଃ, ବାଃରେ କାଳିଆ ବାଃ "
"ବାଃ, ବାଃରେ କାଳିଆ ବାଃ "
ବାଃ ରେ କାଳିଆ,ମାନିବାକୁ ପଡ଼ିବ ତୋତେ !ଜଗତର ନାଥ ବୋଲାଉଛୁ ପୁଣି ଦରିଦ୍ରର ବନ୍ଧୁ !କିଏ ଦେଲାରେ ଏପରି ନାଆଁ ତୋହର ! କହିବାକୁ ଲାଜ ଲାଗୁଛି ମୋତେ !
ପିଲାଟି ବେଳୁ ତୋତେ ହିଁ ଭରଷା କରିଛି ନା !
କେହି ନ ଜାଣିଲେ ବି,ତୁ ତ ଜାଣିଛୁ !
ହେଲେ କ'ଣ ଦେଲୁ ମତେ ?
ଦୁଃଖ !କଷଣ ! ଦାରିଦ୍ର୍ୟ! ଅପନିନ୍ଦା !
ଏଇଆ ନା !
ହଁ,ଦେଇନୁ କାହିଁକି ! ଦେଇଛୁ !
ବୁଢୀ କାଳରେ ଛୁଆଟିଏ ଦେଇଛୁ !
ବାସ୍ ! ସରିଗଲା ତୋର କର୍ତ୍ତବ୍ୟ ?
ଆରେ କ'ଣ ପଚାରୁଛି ପରା !!
ମତେ ଟିକେ ଚାହାଁ !!!
ମୋ କଥା ଥରେ ଶୁଣ !!!
ଯାହାର ହାତ ଧରି ବାହା ହେଲି,
ଛୁଆଟିଏ ହେଉ ହେଉ ତାଙ୍କୁ ତ
ନେଇଗଲୁ !!
ବୁଢୀ ବୟସରେ ଏ ଛୁଆଟା ହିଁ
ମୋର ସମ୍ବଳ !!!
ତାକୁ ବି ଟିକେ ଶାନ୍ତିରେ ରଖେଇ ଦଉନୁ କାହିଁକି ?
ବାରମ୍ବାର ରୋଗ ଯନ୍ତ୍ରଣାରେ ତିଳ ତିଳ କରି ଜାଳୁଛୁ କାହିଁକିରେ କପଟିଆ !!!
ମୋର ଆଉ କିଏ ଅଛି ଯେ !!!
ଗଣ୍ଡେ ଖାଇବା ପାଇଁ ଯାହା ପାଖରେ
ସମ୍ବଳ ନାହିଁ!ଏ ଛୁଆକୁ କୋଉଠୁ ଆଣି ଖୁଆଇବି ?
ମୋର କ'ଣ ଆଉ ବଳ ବୟସ
ଅଛି ଯେ, କୋଉଠି ଯାଇ ଖଟିବି।
ତୁ କହିଲୁ କାଳିଆ !ମୋର ଉପାୟ କ'ଣ ?
କେଉଁ ଉପାୟରେ ଏ ଛୁଆଟି ମୁହଁରେ
ଆହାର ଗଣ୍ଡା ଦେବି ?
ମାତ୍ର ପାଞ୍ଚ ବରଷର ଛୁଆଟା ମୋର !
କାହିଁକି ମୋ ପାଇଁ ପଥର ସାଜିଛୁ ?
ମୋ ପାଖରେ କ'ଣ ଅଛି ଯେ,
ତତେ ମୁଁ ଦେଇ ପାରିବି ?
ଅଛି !ଖାଲି ମୋ ଆଖିର ଲୁହ ଅଛି !
ନଉନୁ,କେତେ ନବୁ !!!
ତତେ ଡାକିବାର ପାଉଣା କ'ଣ ଏଇଆ ?
କାହିଁକି ମତେ ଏମିତି କଲବଲ କରି
ମାରୁଛୁ ?
ମାରିବୁ ଯଦି,ଏକାଥରେ ମାରିଦେ !
ଥିବି ଯେ ଏ ଦୁଃଖ କଷ୍ଟ ଦେଖିବି !!!
ଏ କାଳିଆ ! କ'ଣ ଶୁଣି ପାରୁଛୁ ତ ?
କେତେ ଆଶା କରିଥିଲି !
ମୋ କାଳିଆ ଅଛି ମାନେ,
ମୋର କିଛି ଦୁଃଖ ନାହିଁ !!!
ମୋ କାଳିଆ ସବୁ ଠିକ୍ କରିଦେବ !
ହେଲେ !!!
ପାରୁନିରେ କାଳିଆ !
ଆଉ ସହି ପାରୁନି !!!
ଶୁଣିବୁ କାଳିଆ !କାଲି ରାତିରୁ ନା !
କିଛି ଖାଇନି ରେ !
ଯାହା ଦିଟା ବାସି ପଖାଳ ଥିଲା ,
ଛୁଆଟାକୁ ଖୋଇ ଦେଇଛି !
ମୁଁ ମାଆ ହୋଇ ଆଉ କ'ଣ ବା କରି ପାରିବି ?
ମୋର ଆଉ ବଳ ପାଉ ନାହିଁ !!!
ଚାରିଆଡ ଅନ୍ଧାର ଦେଖା ଯାଉଛି ରେ !!!
ଦେହ ହାତ ଥରୁଛି !
ବଳ ପାଉନି କାଳିଆ !!!
ଆରେ ! କ'ଣ କିଛି କହୁନୁ !!!
ମୁଁ ଖାଲି ବକର ବକର ହେଉଛି!
ହେଲେ,ତୁ କିଛି କହୁନୁ କାହିଁକି ?
ଓଃ ବୁଝିଗଲି !!!
ବହୁତ ହେଇଗଲା !!!
ଆଉ ନୁହେଁ !ଆଉ ଡାକିବିନି !!!
ବହୁତ ଫଳ ଦେଲୁ ମତେ !!!
ଯାଉଛି ! ଆଉ ଆସିବିନି ?
ତୋ ଦୂଆର ବନ୍ଧ ମାଡିବିନି !!!
ଯାଉଛି କାଳିଆ !! ଯାଉଛି !!!
ମୋ ଟୋକାଟା ଏକୁଟିଆ ଘରେ ଥିବ !
ଯାଉଛି ରେ....ଦଗାଦିଆ.....କପଟିଆ......
ଵସିଥା ସେମିତି......।(କାନ୍ଦି କାନ୍ଦି ଆସିଛି)
ବାବୁରେ,ଏ ଧନ କୁଆଡେ ଗଲୁ ?
ଏ କ'ଣ ,ମୋ ଘର କୁଆଡେ ଗଲା !!
ମୋ ପୁଅ !!!
ଏ ଧନ.....ମୋ ରାମ ରେ.....
କୁଆଡେ ଗଲୁରେ ମୋ ଧନ ....
(କାଶିଛି) ଖେଁ ଖେଁ !ମୋ କଳା ମାଣିକ ..... ମୁଁ କ'ଣ କରିବି ରେ ....
ମୋ ଘର ....କୁଆଡେ ଗଲା.....
ମୋ ଘର ଜାଗାରେ ଏ କୋଠା ଘର......
ମୋ ଘର......ମୋ ପୁଅ........(ପଡ଼ି ଯାଇଛି )
ବୋଉ....।ବୋଉ ଲୋ ....।
ବୋଉ , କ'ଣ ହେଲା ବୋଉ !
ରହ ମୁଁ ପାଣି ନେଇ ଆସୁଛି ।
(ପାଣି ଛାଟି ଚେତା କରେଇଛି)
ଆଁ,ମୋ ଘର.....ମୋ ପୁଅ.....
ବୋଉ, ମୁଁ ପରା ଏଇଠି ।
ମୋ ପୁଅ।ମୋ ପୁଅ ।(କୁଣ୍ଡେଇ ଧରିଛି)
ମୋ ଧନ ! ଆମ ଘର କୁଆଡେ ଗଲାରେ !!!
ବୋଉଲୋ ,ଏ ବୋଉ ,ଆମ ଘର ପରା କୋଠାଘର ହେଇ ଯାଇଚି।
କୋଠାଘର !!!
ଆରେ ମୋ ଚାଳ ଘର......!
ଓଃ ବୁଝିଲି !!!
ଆରେ ଏ କପଟିଆ !!!
ଏ ବଗୁଲିଆ !!!
ଏ ମାୟାଧର !!!
ମାନିଗଲି ରେ ।ତତେ ମାନିଗଲି !!!
ବୋଉଲୋ !ଏ ବୋଉ ,ଆସୁନୁ ଦେଖିବୁ !!!
କେତେ ସୁନା !କେତେ ଭଲ ଭଲ ଖାଇବା ଜିନିଷ !!!
ମୁଁ ପରା ପେଟେ ଖାଇ ଦେଇଛି !
ଏଇ ଦେଖ,ଦେଖୁନୁ !
ଭାତ ,ଡାଲି, ତରକାରୀ,ଭଜା ।
ଆଉରି କେତେ କ'ଣ ଲୋ ବୋଉ !!!
ବାଃ ରେ କାଳିଆ !!!
ମାନିଗଲି ତୋତେ !!!
ମତେ କ୍ଷମା କରିଦେବୁ ରେ ଧନ !!
ମୁଁ ହୁଣ୍ଡି ଟା,ନ ଜାଣି ନ ଶୁଣି
କେତେ କ'ଣ କହି ଯାଇଛି !!!
ତୋ ଗୋଡ଼ ତଳେ ପଡୁଛି ରେ ....
ମତେ କ୍ଷମା କରିଦେବୁ ...
ମତେ କ୍ଷମା କରିଦେବୁ .....।
***********
ଦୟାକରି ଏହାକୁ ପଢ଼ି,ଯଦି ମନକୁ ଯାଏ ତ ମତାମତ ଦେବାକୁ ଯେପରି ନ ଭୁଲନ୍ତି । ଆପଣଙ୍କର
ହେମନ୍ତ କୁମାର ସାହୁ। କଟକ।
