STORYMIRROR

Hemanta kumar Sahoo

Inspirational

4  

Hemanta kumar Sahoo

Inspirational

"ବାଃ, ବାଃରେ କାଳିଆ ବାଃ "

"ବାଃ, ବାଃରେ କାଳିଆ ବାଃ "

2 mins
242

ବାଃ ରେ କାଳିଆ,ମାନିବାକୁ ପଡ଼ିବ ତୋତେ !ଜଗତର ନାଥ ବୋଲାଉଛୁ ପୁଣି ଦରିଦ୍ରର ବନ୍ଧୁ !କିଏ ଦେଲାରେ ଏପରି ନାଆଁ ତୋହର ! କହିବାକୁ ଲାଜ ଲାଗୁଛି ମୋତେ !

ପିଲାଟି ବେଳୁ ତୋତେ ହିଁ ଭରଷା କରିଛି ନା !

କେହି ନ ଜାଣିଲେ ବି,ତୁ ତ ଜାଣିଛୁ !

ହେଲେ କ'ଣ ଦେଲୁ ମତେ ?

ଦୁଃଖ !କଷଣ ! ଦାରିଦ୍ର୍ୟ! ଅପନିନ୍ଦା !

ଏଇଆ ନା !

ହଁ,ଦେଇନୁ କାହିଁକି ! ଦେଇଛୁ !

ବୁଢୀ କାଳରେ ଛୁଆଟିଏ ଦେଇଛୁ !

ବାସ୍ ! ସରିଗଲା ତୋର କର୍ତ୍ତବ୍ୟ ?

ଆରେ କ'ଣ ପଚାରୁଛି ପରା !!

ମତେ ଟିକେ ଚାହାଁ !!!

ମୋ କଥା ଥରେ ଶୁଣ !!!

ଯାହାର ହାତ ଧରି ବାହା ହେଲି,

ଛୁଆଟିଏ ହେଉ ହେଉ ତାଙ୍କୁ ତ 

ନେଇଗଲୁ !!

ବୁଢୀ ବୟସରେ ଏ ଛୁଆଟା ହିଁ

ମୋର ସମ୍ବଳ !!!

ତାକୁ ବି ଟିକେ ଶାନ୍ତିରେ ରଖେଇ ଦଉନୁ କାହିଁକି ?

ବାରମ୍ବାର ରୋଗ ଯନ୍ତ୍ରଣାରେ ତିଳ ତିଳ କରି ଜାଳୁଛୁ କାହିଁକିରେ କପଟିଆ !!!

ମୋର ଆଉ କିଏ ଅଛି ଯେ !!!

ଗଣ୍ଡେ ଖାଇବା ପାଇଁ ଯାହା ପାଖରେ

ସମ୍ବଳ ନାହିଁ!ଏ ଛୁଆକୁ କୋଉଠୁ ଆଣି ଖୁଆଇବି ? 

ମୋର କ'ଣ ଆଉ ବଳ ବୟସ 

ଅଛି ଯେ, କୋଉଠି ଯାଇ ଖଟିବି। 

ତୁ କହିଲୁ କାଳିଆ !ମୋର ଉପାୟ କ'ଣ ?

କେଉଁ ଉପାୟରେ ଏ ଛୁଆଟି ମୁହଁରେ 

ଆହାର ଗଣ୍ଡା ଦେବି ?

ମାତ୍ର ପାଞ୍ଚ ବରଷର ଛୁଆଟା ମୋର !

କାହିଁକି ମୋ ପାଇଁ ପଥର ସାଜିଛୁ ?

ମୋ ପାଖରେ କ'ଣ ଅଛି ଯେ,

ତତେ ମୁଁ ଦେଇ ପାରିବି ?

ଅଛି !ଖାଲି ମୋ ଆଖିର ଲୁହ ଅଛି !

ନଉନୁ,କେତେ ନବୁ !!!

ତତେ ଡାକିବାର ପାଉଣା କ'ଣ ଏଇଆ ?

କାହିଁକି ମତେ ଏମିତି କଲବଲ କରି 

ମାରୁଛୁ ?

ମାରିବୁ ଯଦି,ଏକାଥରେ ମାରିଦେ !

ଥିବି ଯେ ଏ ଦୁଃଖ କଷ୍ଟ ଦେଖିବି !!!

ଏ କାଳିଆ ! କ'ଣ ଶୁଣି ପାରୁଛୁ ତ ?

କେତେ ଆଶା କରିଥିଲି !

ମୋ କାଳିଆ ଅଛି ମାନେ,

ମୋର କିଛି ଦୁଃଖ ନାହିଁ !!!

ମୋ କାଳିଆ ସବୁ ଠିକ୍ କରିଦେବ !

ହେଲେ !!!

ପାରୁନିରେ କାଳିଆ !

ଆଉ ସହି ପାରୁନି !!!

ଶୁଣିବୁ କାଳିଆ !କାଲି ରାତିରୁ ନା !

କିଛି ଖାଇନି ରେ !

ଯାହା ଦିଟା ବାସି ପଖାଳ ଥିଲା ,

ଛୁଆଟାକୁ ଖୋଇ ଦେଇଛି !

ମୁଁ ମାଆ ହୋଇ ଆଉ କ'ଣ ବା କରି ପାରିବି ?

ମୋର ଆଉ ବଳ ପାଉ ନାହିଁ !!!

ଚାରିଆଡ ଅନ୍ଧାର ଦେଖା ଯାଉଛି ରେ !!!

ଦେହ ହାତ ଥରୁଛି !

ବଳ ପାଉନି କାଳିଆ !!!

ଆରେ ! କ'ଣ କିଛି କହୁନୁ !!!

ମୁଁ ଖାଲି ବକର ବକର ହେଉଛି!

ହେଲେ,ତୁ କିଛି କହୁନୁ କାହିଁକି ?

ଓଃ ବୁଝିଗଲି !!!

ବହୁତ ହେଇଗଲା !!!

ଆଉ ନୁହେଁ !ଆଉ ଡାକିବିନି !!!

ବହୁତ ଫଳ ଦେଲୁ ମତେ !!!

ଯାଉଛି ! ଆଉ ଆସିବିନି ?

ତୋ ଦୂଆର ବନ୍ଧ ମାଡିବିନି !!!

ଯାଉଛି କାଳିଆ !! ଯାଉଛି !!!

ମୋ ଟୋକାଟା ଏକୁଟିଆ ଘରେ ଥିବ !

ଯାଉଛି ରେ....ଦଗାଦିଆ.....କପଟିଆ......

ଵସିଥା ସେମିତି......।(କାନ୍ଦି କାନ୍ଦି ଆସିଛି)

ବାବୁରେ,ଏ ଧନ କୁଆଡେ ଗଲୁ ?

ଏ କ'ଣ ,ମୋ ଘର କୁଆଡେ ଗଲା !!

ମୋ ପୁଅ !!!

ଏ ଧନ.....ମୋ ରାମ ରେ.....

କୁଆଡେ ଗଲୁରେ ମୋ ଧନ ....

(କାଶିଛି) ଖେଁ ଖେଁ !ମୋ କଳା ମାଣିକ ..... ମୁଁ କ'ଣ କରିବି ରେ ....

ମୋ ଘର ....କୁଆଡେ ଗଲା.....

ମୋ ଘର ଜାଗାରେ ଏ କୋଠା ଘର......

ମୋ ଘର......ମୋ ପୁଅ........(ପଡ଼ି ଯାଇଛି )

ବୋଉ....।ବୋଉ ଲୋ ....।

ବୋଉ , କ'ଣ ହେଲା ବୋଉ !

ରହ ମୁଁ ପାଣି ନେଇ ଆସୁଛି ।

(ପାଣି ଛାଟି ଚେତା କରେଇଛି)

ଆଁ,ମୋ ଘର.....ମୋ ପୁଅ.....

ବୋଉ, ମୁଁ ପରା ଏଇଠି ।

ମୋ ପୁଅ।ମୋ ପୁଅ ।(କୁଣ୍ଡେଇ ଧରିଛି)

ମୋ ଧନ ! ଆମ ଘର କୁଆଡେ ଗଲାରେ !!!

ବୋଉଲୋ ,ଏ ବୋଉ ,ଆମ ଘର ପରା କୋଠାଘର ହେଇ ଯାଇଚି।

କୋଠାଘର !!!

ଆରେ ମୋ ଚାଳ ଘର......!

ଓଃ ବୁଝିଲି !!!

ଆରେ ଏ କପଟିଆ !!!

ଏ ବଗୁଲିଆ !!!

ଏ ମାୟାଧର !!!

ମାନିଗଲି ରେ ।ତତେ ମାନିଗଲି !!!

ବୋଉଲୋ !ଏ ବୋଉ ,ଆସୁନୁ ଦେଖିବୁ !!!

କେତେ ସୁନା !କେତେ ଭଲ ଭଲ ଖାଇବା ଜିନିଷ !!!

ମୁଁ ପରା ପେଟେ ଖାଇ ଦେଇଛି !

ଏଇ ଦେଖ,ଦେଖୁନୁ !

ଭାତ ,ଡାଲି, ତରକାରୀ,ଭଜା ।

ଆଉରି କେତେ କ'ଣ ଲୋ ବୋଉ !!!

ବାଃ ରେ କାଳିଆ !!!

ମାନିଗଲି ତୋତେ !!!

ମତେ କ୍ଷମା କରିଦେବୁ ରେ ଧନ !!

ମୁଁ ହୁଣ୍ଡି ଟା,ନ ଜାଣି ନ ଶୁଣି

କେତେ କ'ଣ କହି ଯାଇଛି !!!

ତୋ ଗୋଡ଼ ତଳେ ପଡୁଛି ରେ ....

ମତେ କ୍ଷମା କରିଦେବୁ ...

ମତେ କ୍ଷମା କରିଦେବୁ .....।

   ***********

ଦୟାକରି ଏହାକୁ ପଢ଼ି,ଯଦି ମନକୁ ଯାଏ ତ ମତାମତ ଦେବାକୁ ଯେପରି ନ ଭୁଲନ୍ତି । ଆପଣଙ୍କର

ହେମନ୍ତ କୁମାର ସାହୁ। କଟକ।


Rate this content
Log in

Similar oriya poem from Inspirational