ଅୟୁତ ରାତିର ଶୋଷ
ଅୟୁତ ରାତିର ଶୋଷ
ସଫା ଆକାଶର
ସକାଳ ଖରା ପରି
ଝଲସି ଉଠୁଥିଲା ତା ଦେହ, ମୁହଁ
ଆଖିରେ ପ୍ରସନ୍ନତାର ଲହରୀ
ତୃପ୍ତିର ମହ୍ଲାର ଶୁଣାଉଥିଲା
ଖୁସିର ଚମକ
ନେସି ହୋଇ ଯାଉଥିଲା
ହୃଦୟ କାନ୍ଥରେ
ତା ଦେହ,ମନ ଗୋଟା ସୁଧା
ଗାଧୋଇ ପଡୁଥିଲା
ବିଭୋର ପଣରେ ।
ବେଗବତୀ ନଈ, ଇଚ୍ଛାବତୀ ପାରୋ
ପାଲଟି ଯାଉଥିଲା ସେ
ସମ୍ଭାଳି ପାରୁ ନଥିଲା
ଆନନ୍ଦ ଜୁଆର ଦାଉକୁ
ଫିଟି ପଡୁଥିଲା
କାମନା ବାସନାର ଇପ୍ସିତ
ସୁନା ଫରୁଆ
ଫାଟି ପଡୁଥିଲା ଶରୀର
ମନର ଦେହଳି ।
ଗହନ ନିଦରେ ମୁହଁମାଡି
ଭାଗ୍ୟକୁ ଆଦରି
ଶୋଇବାର ଅଭିନୟ
କରୁଥିବା ଶାରୀ ଟି
ଫୁର ଫାର ହେଉଥିଲା ଝୁମି ଝୁମି
ଆଖିରେ ଏରୁଣ୍ଡି ଡେଇଁ
ନିଗିଡି ପଡୁଥଲା ଲୁଣିଆ କେଇ ବୁନ୍ଦା ପାଣି
ଓଠ ଥରୁଥିଲା ଲାଜ ଓ କୋହରେ
ଅୟୁତ ଅୟୁତ ରାତିର ଶୋଷ
ବଢ଼ୁଥିଲା
ସେ ଫେରି ଆସିଛନ୍ତି
ତା ମନର ମଣିଷ
"ନିରୁର୍ଦ୍ଦିଷ୍ଟ ଦଶ ବର୍ଷ ସ୍ୱାମୀ"
ଛାତି ଭିଜୁଥିଲା ତା
ଅଭିମାନ ଅଶ୍ରୁରେ ।

