ଅଯଥା ବିଳାସିତା
ଅଯଥା ବିଳାସିତା
ମାନବ ପଣିଆ ମାନବଙ୍କ ପାଖେ
ଦେଖିବାକୁ ଚାହେଁ ଆଖି
ମାତ୍ର ବିଚଳିତ କରିଯାଏ ଚିତ୍ର
ଦାନବ ପଣିଆ ଦେଖି।।
ମାନବ ଦାନବ ମଝିରେ ପାଶବ
ପ୍ରକୃତିର ସ୍ଥାନ ଜାଣି
ତଥାପି ମଣିଷ ଯୋଗାଡୁଛି ଯଶ
ଆତ୍ମବଡ଼ିମା ବଖାଣି।।
ମୃଗୟା ବିହାର ଶୁଣିଛି ମୁଁ କାନେ
ପୁରାଣ ପୃଷ୍ଠାରେ ଲେଖା
ନିରୀହ ପ୍ରାଣୀଙ୍କ ନିହତ ବିଧାନ
କେଉଁ ନ୍ୟାୟ ମତେ ଚୋଖା।।
ବିଳାସିତା ନୁହଁ ଅମାନୁଷିକତା
ମଦମତ୍ତ କ୍ଷମତାର
ରାଜା ବୋଲି କହି ରାଜ ପଦବୀକୁ
କରିବ କି ତିରସ୍କାର।।
ନବାବ ରହମ୍ମତ ଅବ୍ଦୁଲ ଖାନ୍ ଙ୍କ
ପାଶବିକତାର ଖେଳ
ବ୍ୟାଘ୍ର ଶିକାରର ଦୃଶ୍ୟ ଏ ଦୁର୍ବାର
ତିରସ୍କାରେ ବାରମ୍ବାର।।
ବ୍ୟାଘ୍ର ଚର୍ମ ଗଜଦନ୍ତ ମୃଗ ଶୃଙ୍ଗ
ମୃଗିଣୀ-ଚର୍ମ ବ୍ୟସନ
ହୀନ ମନଃସ୍ଥିତି ପାଶବିକ ତୃପ୍ତି
ନୁହଁ କି ନିନ୍ଦା ଭାଜନ।।
ଆଜି ଯଦି ମାରି କୃଷ୍ଣସାର ମୃଗ
ଦଣ୍ଡେ ଦଣ୍ଡି ହ୍ୱନ୍ତି କେହି
ଏପରି ବିଧାନ ସେକାଳେ କିମ୍ପାଇଁ
ବିହିତ ନଥିଲା ଭାଇ।।
ଯେଉଁ ଚିତ୍ରକାର ରଚିଲେ ଏ ଚିତ୍ର
ନମେ ମୁଁ ତାଙ୍କ ଚାତୁରୀ
ଅଲଭ୍ୟ କୃତିରେ ଅସଭ୍ୟ କୃତିକୁ
ଗଲେ ସେ ଚିତ୍ରଣ କରି।।
ମହତ ଜନର ଆଚରଣ ଯଦି
ମହତ ନୋହିବ ଜାଣ
ଯୁଗ ଯୁଗ ପାଇଁ ହୀନ କୃତ୍ୟ ପାଇଁ
ହେଉଥିବ ହୀନିମାନ।।
ରାଜକୃପା ତୋଷାମଦ ବା ପ୍ରଶଂସା
ପାରିତୋଷ ଦେଇଯାଏ
ମାତ୍ର ଆତ୍ମତୃପ୍ତି ଅନୁଭୂତ ହେଲେ
ପରମତୃପ୍ତି ବୋଲାଏ।।
