ଅତୁଟ ରହିବ ସ୍ନେହ ବନ୍ଧନ
ଅତୁଟ ରହିବ ସ୍ନେହ ବନ୍ଧନ
ଆସିଲାଣି ରାକ୍ଷୀ ପୁନେଇଁ ପରା।
ଦିଶୁନାହିଁ ଆଉ ବରଷା ଧାରା ॥୧॥
କି ସୁନ୍ଦର ଏବେ ଦିଶୁଛି ଧରା ।
ବଳଭଦ୍ର ଜନ୍ମ ଖୁସି ଆସରା ॥୨॥
ଆଣି ଆସୁଅଛି ରାକ୍ଷୀ ପରବ ।
ସଜାଡି ରଖିଛି ସବୁ ଦରବ ॥୩॥
ରାକ୍ଷୀଟିିଏ ଆଣି ରଖିଛି ମୁହିଁ ।
ମୋ ଭାଇ ହାତରେ ବାନ୍ଧିବି ନେଇ ॥୪॥
ସବୁ ବରଷ ମୁଁ ବାନ୍ଧୁଛି ରାକ୍ଷୀ ।
ଅପାର ଆନନ୍ଦ ପାଉଛି ଦେଖି ॥୫॥
କେଡେ ଖୁସି ହୁଏ ଭାଇ ମୋହର ।
ହାତରେ ବାନ୍ଧିଲେ ରେଶମ ଡୋର ॥୬॥
ଦାନବେନ୍ଦ୍ର ବଳି ହାତରେ ଦିନେ ।
ଲକ୍ଷ୍ମୀ ବାନ୍ଧି ଥିଲେ ରାକ୍ଷୀ ମଉନେ ॥୭॥
ଭାଇ ହାତେ ଶୋଭା ପାଇବ ରାକ୍ଷୀ ।
ଏଇ ରାକ୍ଷୀ ସ୍ନେହ ବନ୍ଧନ ସାକ୍ଷୀ ॥୮॥
ଭାଇ ଭଉଣୀଙ୍କ ଅମାପ ସ୍ନେହ ।
ରକ୍ଷା କବଚ ଏ ରାକ୍ଷୀଟି କହ ॥୯॥
ରାକ୍ଷୀ ନୁହେଁ ଖାଲି ରେଶମ ଡୋର ।
ସ୍ନେହ ବନ୍ଧନର ଏ ଗନ୍ତାଘର ॥୧୦॥
ରାକ୍ଷୀ ବାନ୍ଧିବି ମୁଁ ଭାଇ ହାତରେ ।
ଚନ୍ଦନ ସିନ୍ଦୁର ଦେବି ମଥାରେ ॥୧୧॥
ଦୀପ ନେଇ ବନ୍ଦାପନା କରିବି ।
ଦୁର୍ବାକ୍ଷତ ନେଇ ବନ୍ଦାଇ ଦେବି ॥୧୨॥
ଅତୁଟ ରହିବ ସ୍ନେହ ବନ୍ଧନ ।
ଏହି ରାକ୍ଷୀ ମୋର ରଖିବ ମାନ ॥୧୩॥
ସବୁ ବରଷ ମୁଁ ରାକ୍ଷୀ ବାନ୍ଧଇ ।
ମନାସେ ହରଷେ ରହୁ ମୋ ଭାଇ ॥୧୪॥
ଭାଇ କହେ ମୋର ଜୀବନ ଦେଇ ।
ସବୁଦିନ ରକ୍ଷା କରିବି ମୁହିଁ ॥୧୫॥
