ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା ମୁଁ ବୁଡି ରହିଥାଏ
ନିରାଶାର ଅନ୍ଧକାରେ ।
କାମନାବାସନାଭରା ଦୁନିଆର
ତୃଷ୍ଣାମୟ ଆବର୍ତ୍ତରେ ॥
ବେଦନା ପୀଡିତ ପ୍ରାଣର ଜ୍ଵଳନ
କାହାକୁ ପାରେନା କହି ।
ମରମେ ମରମେ ସଢି ମରୁଥାଏ
ହୃଦୟର ବ୍ୟଥା ଗାଇ ॥
ଖୋଜିବୁଲେ ମୁହିଁ ଲକ୍ଷ୍ୟ ମୋହର
କୁଆଡେ ହୋଇଛି ବଣା ।
ଅବିଶ୍ୱାସ ଆଉ ସନ୍ଦେହ ଖାଲି
ସ୍ୱାର୍ଥର ବଜାଏ ବୀଣା ॥
ଅଫେରା ଅତୀତ ଛାୟାଛବିପରି
ମାନସ ପଟରେ ଦିଶେ ।
ପ୍ରତାରଣା ଖାଲିଜୀବନରେ ମୋର
ବ୍ୟର୍ଥତାର ହସ ହସେ ॥
ଜୀବନନାଟଟେ ଖଳନାୟକ ମୁଁ
ଶକୁନିର ବଂଶଧର ॥
ଯୁଆଡେ ମୁଁ ଯାଏ ପଛେପଛେଛୁଟେ
ଦୀର୍ଘଶ୍ୱାସ ହାହାକାର ॥
ଜାନ୍ତବ କ୍ଷୁଧାର ଅନଳ ପରାୟେ
ଜଳୁଥାଏ ଅହରହ ॥
ତ୍ରସ୍ତ କାତର ଦଗ୍ଧ ପ୍ରାଣେ ମୋ
ଉଦ୍ଦାମ ଅଦୃଶ୍ୟ କୋହ ॥
ସପନର ସିଢି କ୍ରମ ବର୍ଦ୍ଧମାନ
ଲମ୍ବିଯାଏ ରସାତଳ ॥
ଲୁହ ଢାଳିଦେଲେ ଲହୁମାଗୁଥାଏ
ଚଞ୍ଚକତା ସାଜେ କାଳ ॥
ବ୍ୟର୍ଥ ପ୍ରୟାସ ଏ ଜାରି ରଖିଛି ମୁଁ
ସୁଖକୁ ଗଲିଣି ଭୁଲି ।
ସୀମାହୀନ ପଥେ ଆକୁଳ ଦୁର୍ବଳ,
ଅଦୃଶ୍ୟ ଏ ଚୋରାବାଲି ॥
ଜୀବନଯାତନା ଜଉଘରେ ନିଆଁ
ଲଗାଇ ଦେଇଛି କିଏ ?
ଉଦ୍ ଭ୍ରାନ୍ତ ଆଜି ତୃଷାର୍ତ୍ତ ରସନା
ଦୁଃଖକୁ ନିଜର ପିଏ ॥
ହା ହୁତାଶମୟ ଭବସମୁଦ୍ରରେ
ଛଟପଟ ହୋଇ ମରେ ।
ଅତୃପ୍ତ ଆତ୍ମାର ସ୍ୱର ଲିପି ମୁଁ ଯେ
ଗାଉଥାଏ ନୀରବରେ ॥