ଅତିକ୍ରାନ୍ତା ମୌସୁମୀର ଛାଇ
ଅତିକ୍ରାନ୍ତା ମୌସୁମୀର ଛାଇ
ନିତ୍ୟ ପ୍ରଭାତେ ନବ ଉନ୍ମେଷ,
ବିକଚିତ ପୁଷ୍ପ'ଚୟ ଭ୍ରମର ଚୁମ୍ବିତ,
ପ୍ରତ୍ୟୁଷର ନବ'ରାଗ ବିଭା-
ଅସ୍ତରାଗେ ହୁଅଇ ମଳିନ,
ପ୍ରଭାତରୁ ସାୟାହ୍ନ ଯାଏ-
ତୁମ ପ୍ରତୀକ୍ଷାର ନିରବଚ୍ଛିନ୍ନ ସ୍ପନ୍ଦିତ ସମୟ....ଅବ୍ୟାହତ,
କ୍ଳାନ୍ତ ମୁହିଁ ପ୍ରତୀକ୍ଷାର ଦୀର୍ଘ'ଶ୍ୱାସ ଭାରେ .....
କୁହୁକିନୀ ମୃଗତୃଷ୍ଣା ତୁମେ,
ଚିତ୍ରା ତୁମେ ପ୍ରଜାପତି ଡେଣା-
ଦୂରେ ବହୁ ଦୂରେ
କଣ୍ଟା-ସିଝୁ ଆଉ ନାଗଫେଣୀ ଫୁଲେ,
ମରୁଦ୍ୟାନେ ମାୟା-ମୃଗୀ'ଟିଏ.....
କୃଷ୍ଣ-ପକ୍ଷ ବିଭାବରୀ ଯେବେ
ରଚି'ଯାଏ ପ୍ରୀତିର ପାର୍ବଣ ପୁରେ ପୁରେ
ପହଁରି'ଯାଏ ତୁମ ପଣତର ଛାଇ
ମୋ ନିଦ୍ରିତ ଆନନେ.....
ନାସା-ରନ୍ଧ୍ରୁ ଲୋମ'କୂପ ଯାଏ
ତୁମ କେଶ-ପାଶ ପାଟ-ପତନି ସୁବାସ,
ନିଦ୍ରାର ଆବେଶେ
ହତ-ହୁଏ ବ୍ରହ୍ମଚୌର୍ଯ୍ୟ ମୋର,....
କଳା'ମେଘୀ ମୌସୁମୀର ଜଳଦର ଭେଳା
ସ୍ମୃତିର ଆକାଶେ ରଚେତ୍ସୋବ,
ଓଠ-ଶୁଷ୍କ-ମାଟି ମୋର ମାଗଇ ଜୀବନ,
କଉତୁକେ ବର୍ଷଣୋନ୍ମୁଖ ମେଘ ତୁମେ
ବିଜୁଳି'ରୁପା ବିଦ୍ରୁପର ହସ'ଛିଟା ମୁଖେ,
ମୁଁ--ମଣ୍ଡୁକ
ପ୍ରୀତି ଅଭିଷେକ-ଅଭିସାର ହୃଦେ ସ୍ମରି,
ତୁମ ଆବାହନେ,
ପ୍ରତୀକ୍ଷାର ଆତୁର ଆର୍ତ୍ତ'ନାଦ'ଟିଏ,
ଆଉ ତୁମେ--
ଅତିକ୍ରାନ୍ତା ମୌସୁମୀର,
ଅପହଞ୍ଚ ଆକାଶରେ,
ଆଶା'ମେଘ ଛାଇ.........