ଅତୀତ ବନେ
ଅତୀତ ବନେ
ଶୈଶବ କୈଶୋରର ଲୁଚକାଳି ଖେଳକୁ
ଛାଇ ସାଜି ଅଙ୍ଗେ ନିଭାଇଥିବା
ସେ ମାଟିରେ ପାଦ ଦେଲେ
ହୃଦୟର ଗଭୀର ବନେ
ବହିଯାଏ ତୁମ ସ୍ମୃତିର ଝରଣା
ନିର୍ମଳ କରିଯାଏ
ତରୁ ଲତା ଗୁଳ୍ମ ପୁଷ୍ପ
ରୂପେ ସାଇତା
ଅତୀତର ମନୋହର କ୍ଷଣମାନ ।
ସ୍ନେହ ଆଦର ଆକର୍ଷଣ
ଭଲପାଇବା ଓ ପ୍ରେମର
ବିଭିନ୍ନ ସୋପାନ ଦେଇ
ସୁଦୂର ଗଗନେ ଏକଦା ତୋଳିଥିବା
ତୁମ ସହ ସମ୍ପର୍କର ଦେଉଳକୁ
ପୁନଃ ଜନ୍ମ ଦେଇ
କଡ଼େଇ ନିଏ
ପୁଣି ସେଇ ସପନର ଚୋରାବାଲି ଆଡେ ।
ହୁଏତ ମୁଁ ତୁମ ପାଇଁ
ବାଦଲଟିଏ ମାତ୍ର
ଚଲାପଥେ ହଜିଗଲି
ଘନ କୁହୁଡି ଭିତରେ
କିନ୍ତୁ ତୁମେ ଆଜି ବି ମୋ ଆକାଶ
ଯାହା ଚନ୍ଦ୍ରମାର ଶୀତଳ ପରଶ
ଅନତି ଦୂରରୁ ମରୀଚିକା ସାଜି
ଆତ୍ମ ତୃପ୍ତି ଦିଏ ।