ଅସ୍ତିତ୍ଵ - ୨
ଅସ୍ତିତ୍ଵ - ୨
ତୁମେ ସିନା ଚାଲିଗଲ ଛାଡ଼ି
ସାଜି ଆଉ କା' କବିତାର କାବ୍ୟ ନାୟିକା
ମୁଁ କିନ୍ତୁ ଖୋଜୁଛି ତୁମକୁ ନିତି
ମୋ ଡାଈରୀର ପ୍ରତି ଫର୍ଦ୍ଦେ ଏକା ଏକା ।
ତୁମେ ସିନା ଆଡ଼ କଲ ମୋତେ
ତୁମ ହୃଦ କନ୍ଦରରୁ ସବୁ ଦିନ ପାଇଁ
ମୁଁ କିନ୍ତୁ ରଖିଛି କେବେଠୁ
ମନ ମୁକୁରରେ ଜାଗା ତମ ପାଇଁ ।
ତୁମେ ସିନା ଦେଇ ଅଛ ଧୋଇ
ମନ ଆଲବମରୁ ମୋ ସ୍ମୃତିରାଜିକୁ
ମୁଁ କିନ୍ତୁ ସାଉଁଟୁଛି ସେଥି ତୁମର
ପ୍ରତିଟି ସେ ପୁରୁଣା ସ୍ମୃତିପାଖୁଡ଼ାକୁ ।
ତୁମେ ସିନା ଭୁଲିଗଲ ମୋତେ
ପିଆଇଣ ପୀରତି ଜହର
ମୁଁ କିନ୍ତୁ ସାଇତିଛି ତୁମ ସେ
ପ୍ରତିଟି ଅସ୍ତିତ୍ବ ମିଠା ଅତୀତର ।