ଅଷ୍ଟମ ସୁର
ଅଷ୍ଟମ ସୁର
ଜୀବନ ଆମର
ସାତ ସୁରେ ବନ୍ଧା
ବୋଲି ଶୁଣିଥିଲି ଦିନେ ,
ହେଲେ ଅନୁଭିଲି
ଅଷ୍ଟମ ସୁର ହିଁ
ଜୀଇଁବାର ଅଟେ ମାନେ ।
ବନ୍ଧୁ ପରିଚୟେ
ସେଇ ନବ ସୁର
ଜୀବନେ ମୂର୍ଚ୍ଛନା ଭରେ ,
ବିପଦ ଆପଦ
କାଳ କ୍ଷତି ଭୟ
ଏକ ହାତେ ସେ ଉଦ୍ଧାରେ ।
ମନେ ଅବିଶ୍ୱାସ
ବିପଦ ଆଭାଷ
ଯେବେ ପ୍ରକଟିତ ହୁଏ ,
ହାତ ପରେ ହାତ
ନିକଟେ ସଙ୍ଗାତ
ନିଜେ ଆଶ୍ୱାସନା ଦିଏ ।
ପଡେନାହିଁ କେବେ
ଛାୟା ବିଷାଦର
ଲାଲିତ୍ୟ କାମଟି କରେ ,
ଅଙ୍ଗାଅଙ୍ଗୀ ଭାବେ
ଜଡିତ ଯେହେତୁ
ସାମୟିକ ଦୂରେ ଝୁରେ ।
ଉନ୍ନତିର ଶିଡ଼ି
ଚଢ଼ିବା ପାଇଁ କି
ଶିରେ ପ୍ରେରଣା ଯୋଗାଏ ,
କୁସୁମିତ ପଥେ
ଚାଲିବା ପାଇଁ କି
ଅପୂର୍ବ ଛନ୍ଦେ ସଜାଏ ।
ନିନ୍ଦନୀୟ ଯେତେ
ଅଛୁଆଁ ଅକାର୍ଯ୍ୟ
ନିକଟ ଆସନ୍ତି ନାହିଁ ,
ଅଶାଳୀନ ହେଉ
ଅବା କଟୁ ବାକ୍ୟ
ମାନସେ ପଶନ୍ତି ନାହିଁ ।
ଉଲ୍ଲସିତ ଭରା
କଣ୍ଠ ଅଫୁରନ୍ତ
ଖୁସିର ଜୁଆର ଆଣେ ,
କର୍ତ୍ତବ୍ୟ କରିଣ
ବିବେକ ଧରିଣ
ସମ୍ପର୍କର ତାର ବୁଣେ ।
ପ୍ରତ୍ୟେକ ମୁହୂର୍ତ୍ତ
ଜୀବନ୍ତ ସତେଜ
ତୁମ ସାଥେ ଆବିର୍ଭାବ ,
ପ୍ରକୃତ ଅର୍ଥରେ
ଜୀବନ ଧାରଣ
ତୁମ ସାଥେ ହିଁ ସମ୍ଭବ ।
