ଖଟି ଖାଏ କାଟି ପିନ୍ଧେ
ଖଟି ଖାଏ କାଟି ପିନ୍ଧେ
1 min
176
ଖଟି ମାରୁଥାଏ ଦିନସାରା ବସି
ଖାଇବସେ ହେଲେ ଭୋକ ,
କ୍ଷୁରେ କାଟିଚାଲେ ବସନକୁ ମୋର
ପିନ୍ଧି ବୁଲି କହେ ଦେଖ ।
ବାପ ଅରଜନେ ଫୁର୍ତ୍ତି କରୁଥାଏ
ରଖେନାହିଁ ଶଙ୍କା ମନେ ,
ବହୁଥାଏ ଲୁହ ଜନିକାର କୋହ
ପଡେନାହିଁ ମୋର କାନେ ।
ଗୁରୁଜନ ଦେଖି ପୋତିଯାଏ ମୁହଁ
ଗାଳିକୁ ରହିଛି ଡର ,
ସୁବୁଦ୍ଧି ଉଦୟ ହୁଏନାହିଁ ମନେ
ପିଶାଚ କରିଛି ଘର ।
ଦୂରଭାଷ ମୋର ଚିର ସହଚର
ତା ବିନା ଲାଗଇ ଏକା ,
ପ୍ରିୟତମା ଯେଣୁ ଜୀବନରେ ନାହିଁ
ଜୀବ ଲାଗୁଥାଇ ଫିକା ।
ଗ୍ରାଫାଇଟ ସାଥେ କରିଅଛି ଭାବ
କଲମ କି ପଛେ ଥାଏ ,
ଅନାବନା ଯାହା ମନକୁ ଆସଇ
ପ୍ରତିକ୍ଷଣେ ଲେଖୁଥାଏ ।