ଅସହାୟ ବାପା
ଅସହାୟ ବାପା
ସାତ ବରଷରେ ମାଆକୁ ହରାଇ
ସୁନିତାର ମନ ଦୁଃଖ
ବାପା ଠାରୁ ମିଳୁ ମାଆର ମମତା
ଲଭିଲା ଅମାପ ସୁଖ |
ମାତା ପିତାଙ୍କର ଯୁଗଳ ମାଧୁରୀ
ସେହି ପିତା ସେହି ମାତା
ସୀମାହୀନ ସ୍ନେହ ଆଦର ପ୍ରଦାନୀ
ଝିଅର ଭାଗ୍ୟ ବିଧାତା |
ବାପାଙ୍କର ସିଏ ନୟନର ମଣି
ଅସରା ସୁଖର ଖଣି
ପିତା କୋଳେ ବଢ଼େ ଅଲିଅଳି ହୋଇ
ମହାଭାଗ୍ୟବତୀ ମଣି |
ସୁଖର ସପନ ହେଲା ସମାପନ
ସାବତ ମା ଆଗମନ
ସୁନା ପରିବେଶ ଚୂନା ହୋଇଗଲା
ପୀୟୂଷେ ଵିଷ ପତନ |
ସୁନିତାର ସୁଖ ହେଲା ତା ଅସୁଖ
ଈର୍ଷା ଭାବ ପ୍ରଦର୍ଶନ
ଖଟାଇଲା ଗୃହ କର୍ମରେ ତାହାକୁ
ଦେଲା ଘୋର ନିର୍ଯ୍ୟାତନ |
ପଢ଼ିବା ପାଇଁକି ସାଜିଲା ଭଗାରି
ଜାଣି ଜାଣି ଦିଏ କଷ୍ଟ
ଉପବାସେ ଯାଏ ପାଣି ଢୋକେ ପିଇ
ସ୍ୱାସ୍ଥ୍ୟ ହୁଏ ଧରେ ନଷ୍ଟ |
ଝିଅର ଅବସ୍ଥା ଦେଖିକରି ପିତା
ଦୁଃଖେ ହେଲେ ମ୍ରିୟମାଣ
ଦ୍ଵିତୀୟ ପତ୍ନୀକୁ ତିଆରନ୍ତେ ସିଏ
କ୍ରୋଧେ ହେଲା କମ୍ପମାନ |
ଫାଟିଯାଏ ଛାତି ଝିଅ ଦୁଃଖ ଦେଖି
ପତ୍ନୀତ କାଳ ନାଗୁଣୀ
ଭୟ କରି ତାକୁ ନିନ୍ଦି କରମକୁ
ଅସହାୟ ହେଲେ ଗୁଣୀ |
ପଚାରେ ସୁନିତା କାହିଁପାଇଁ ପିତା
ମୁଁ ହେଲି ସବୁରି ପିତା
କେଉଁ ଦୋଷେ ମୋର ପ୍ରକାଶ ସତ୍ୱର
ତୁମେ ତ ମୋ ମାତା ପିତା |
କୁଆଡେ ଗଲା ସେ ବାତ୍ସଲ୍ୟ ମମତା
ଦେଖି ନଦେଖିଲା ପରି
ନୀରବେ ସହୁଛ ଅଶ୍ରୁ ନିଗାଡୁଛ
ଅସହାୟ ଶିଶୁ ସରି |
ଏତିକି ବେଳରେ ସାବତ ମାଆର
ଶୁଭିଲା ଘନ ଗର୍ଜନ
ଚାଲି ଯାଅ ମା ମା ଦେଖିଦେଲେ ସିଏ
ପ୍ରଳୟ ହେବ ଉତ୍ପନ୍ନ |
ଧୀରା ବୁଦ୍ଧିମତୀ ବାଳିକା ସୁମତି
ପିତା ମାତାଙ୍କୁ ବସାଇ
କହିଲା ବୁଝାଇ ତୁମ ଖୁସି ପାଇଁ
ଦେବି ଜୀବନ ଲଗାଇ |
ଯାହାତ କହିବ ତାହା ମୁଁ କରିବି
ପାଠ ପଢ଼ା ଛାଡ଼ିଦେବି
ମାଆ ହରାଇଛି ମାଆ ମୁଁ ପାଇଛି
ଭଲ ଝିଅଟିଏ ହେବି |
ତୁମ ପରି ମୁହିଁ ହେବି ଗୋ ଜନନୀ
ଦିଅ ଏହି ଆଶୀର୍ବାଦ
ତୁମ ପାଦ ସେବା ନିତି କରୁଥିବି
କ୍ଷମ ମୋର ଅପରାଧ |
ତୁମେ ମାତା ପିତା ମୋ ପ୍ରାଣ ଦେବତା
ଆଶା ଭରସାର ସ୍ଥଳ
କହି ପାଦ ସ୍ପର୍ଶ କରନ୍ତେ ତ୍ୱରିତ
ମାଆ ଆଖି ଛଳ ଛଳ |
ନେଲେ ତ କୋଳେଇ ଗଣ୍ଡେ ଚୁମା ଦେଇ
କହିଲେ ମୋ ଗଣ୍ଠି ଧନ
ତୁହି ଆଜିଠାରୁ ଆମ ମାଆ ହେଲୁ
ତୋତେ ପାଇ ଆମେ ଧନ୍ୟ |
ଅସହାୟ ବାପା ମୁଖେ ହସ ଫୁଟେ
ଖେଳେ ଆନନ୍ଦ ଲହରୀ
ଝିଅ ପଢ଼ା ପାଇଁ ସକଳ ବ୍ୟବସ୍ଥା
ଖଞ୍ଜି ଦେଲେ ପୂର୍ବ ପରି |
