STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଅରଣ୍ୟର କ୍ଷୋଭ

ଅରଣ୍ୟର କ୍ଷୋଭ

1 min
242


ମୁଁ ଅରଣ୍ୟ କହୁଛି,

କେତେଦିନ ଆଉ ସହିବି ଏମିତି ?

ଅତ୍ୟାଚାରର ଜ୍ୱାଳାରେ ମରୁଛି,

ଭଗ୍ନ ହୃଦୟ ମୋ ଗାଉଛି ରାଗିଣୀ

ବିଷlଦେ ଭରିଛି ଯାହା,

ବିଖଣ୍ଡିତ ତନୁ ହାହାକାର କରେ

ଶୁଣି କି ପାରୁନ ତାହା ?

ଘନଅନ୍ଧାରେ ହଜୁଛି ସପନ,

ଦେଖୁଛି ଆଖିରେ ନିଜର ମରଣ,

ତୀବ୍ର ସମୀରଣେ ଚିତ୍କାର ଯାଏ ହଜି

କୁହ, କେତେଦିନ ଆଉ ସହିବି ଏମିତି ?

ମୁଁ ଅରଣ୍ୟ କହୁଛି,

ଶ୍ୟାମଳ ସୁଷମା ଅପରୂପେ ଭରା

ତନୁରେ ମୋ ଯୌବନ ଦୋଳି ଖେଳେ,

ପ୍ରୀତିର ଗନ୍ଧ ମହକାଇ ଦିଏ ଧରା,

ପ୍ରଜାପତି ଉଡେ ଫୁଲରୁ ଫୁଲକୁ,

ପକ୍ଷୀର କାକଳି ମାଦକତା ଭରେ

ମର୍ମର ଧ୍ୱନି ସମୀରଣ ନିଏ ଦୁରକୁ,

ମୋର ଆଖିବୁଜି ହୋଇଯାଏ,

ତନୁରେ ମୋର ଅଗ୍ନି ଲଗାଇଦିଅ

ଜିଅନ୍ତା ମୁଁ ଜଳିଯାଏ,

ଆଶ୍ରିତ ମୋହର ଜୀବଜନ୍ତୁ ଯେତେ

ଦେଉଥିଲି ତାଙ୍କୁ ସୁଶୀତଳ ଛାୟା କେତେ,

ଜଳିଗଲେ ସବୁ ମୋରି ସାଙ୍ଗରେ

ଅନୁଭବ କରିଛ କି କେବେ

ଯନ୍ତ୍ରଣା ଥିଲା କେତେ ?

ଯାହା ବି ମାଗିଛ ଯେବେ,

କାଠ କି ବାଉଁଶ, ଔଷଧି ଯାହା କିଛି

ବିନା ଦ୍ଵିଧାରେ ତନୁ ମୋର ଚିରି

ତୁମରି ହାତରେ ତୋଳି ମୁଁ ଦେଉଛି,

ତଥାପି ନିତିଦିନ ମୁଁ ଯେ ମରୁଛି

କୁହ, କେତେଦିନ ଆଉ ସହିବି ଏମିତି ?


ମୁଁ ଅରଣ୍ୟ କହୁଛି,

ହେ ମଣିଷ, ନିଜ ଭବିଷ୍ୟତ ଚିନ୍ତି

ଭାବନାକୁ ମୋର

ଦିଅ ଥରେ ମାତ୍ର ପଢି

ଯାହା ଚିରନ୍ତନ ରଖିଛି ସାଇତି,

ତୁମରି ସେବାରେ ଜୀବନ ମୋ ଯାଏ ଢଳି,

ଘନକୁଞ୍ଚିତ ତନୁରେ ମୋହର

ଶୁଷ୍କ ଆକାଶେ 

ମେଘ ଘନୀଭୂତ କରେ,

କୃଷକ ମନର ବ୍ୟାକୁଳତା ବୁଝି

ବର୍ଷା ଦିଏ ଯେ ଢାଳି,

ମୋରି ପତ୍ରରୁ ନିର୍ଗତ ଅମ୍ଳଜାନ

ତୁମରି ତନୁରେ ଭରେ ଜୀବନୀଶକ୍ତି,

ତଥାପି ତୁମେ ବୁଝିପାରନାହିଁ କିଛି,

ତୁମରି ସ୍ୱାର୍ଥ ପାଇଁ

ତୀକ୍ଷ୍ଣ ଅସ୍ତ୍ରରେ ମୋତେ ନିଃଶେଷ କରି

ମୋ ଭିଟାମାଟିରେ କଳକାରଖାନା,

କେତେ କୋଠାବାଡି, ସହରବଜାର

ଦେଉଛ ତିଆରିକରି,

ଏଇତ ମୋର କ୍ଷୋଭ,

ମନରୁ ହଜୁଛି ଶାନ୍ତି,

କୁହ, କେତେଦିନ ଆଉ ସହିବି ଏମିତି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy