ଅରିକୁ ଆପଣା କର
ଅରିକୁ ଆପଣା କର
ଅନନ୍ତ ଏଇ ବିଶ୍ୱରେ ଆମେ
ଅମ୍ଳାନ ଜ୍ୟୋତି ଶିଖା,
ଅଂଶୁମାନର ଉଜ୍ଜ୍ୱଳତାରେ
ଅୟୁତ ରଶ୍ମି ରେଖା ।
ଅମୃତ ମୟ ସନ୍ତାନ ଆମେ
ଅହିଂସା ମନ୍ତ୍ର ଜପି,
ଅଶାନ୍ତ ଏଇ ସଂସାର ବୁକୁ
ଅନ୍ତ କରିବୁ ପାପୀ ।
ଅଭ୍ୟାସ ଗତେ ଚାଲି ସତପଥେ
ଅପାର କରୁଣା ଲଭି,
ଅମର ଅଜେୟ ହେବୁ ଏ ଜଗତେ
ଅକ୍ଷୟ ରଖି ଛବି ।
ଅଗାଧ ଜ୍ଞାନକୁ ବିତରି କରିବୁ
ଅବୋଧରେ, ଜ୍ଞାନୀ ଗୁଣୀ,
ଅହଂ ବରଜି ଘୃଣା ତେଜି ହେବୁ
ଅତି ସାଧାରଣ ପ୍ରାଣୀ ।
ଅରଣା ମଇଁଷି ପରାୟେ ଚପଳ
ଅସ୍ଥିର କରି ମନ,
ଅକାରଣେ କିଆଁ ଅପ୍ରିୟ ହେବୁ
ଅବଶୋଷେ ଯିବ ଦିନ ।
ଅରଣ୍ୟ ରୋଦନ ହୋଇବ କେବଳ
ଅଯଥା ବେଦନାମୟ,
ଅଙ୍ଗୁର କୋଳି ଖଟା ଭାବି ଭାବି
ଅନ୍ତତଃ ହେବୁ ଥୟ ।
ଅଜବ ଭାବନା ପ୍ରବଳ କାମନା
ଅଙ୍କୁରେ ଯଦି କେବେ,
ଅଚିରେ ମାୟାର ଅତଳ ଗରଭେ
ଅକ୍ଳେଶେ ସେହୁ ଡୁବେ ।
ଅନ୍ତରେ ପାଳି ଅସୂୟା କପଟ
ଅସୀମ ଯାତନା ଭୋଗେ,
ଅପାଶୋରା ସେଇ ସ୍ମୃତିର ଚାରଣେ
ଅତୀବ ଦୁଃଖ ଲାଗେ ।
ଅନ୍ଧାର ଦୂର କରିବାକୁ ହେଲେ
ଅୟସକୁ କର ଦୂର,
ଅସୁମାରୀ ସୁଖ ଲଭିବା ଜନିତେ
ଅରିକୁ ଆପଣା କର । ।
