ଅପୂର୍ବ ଉଲ୍ଲାସ
ଅପୂର୍ବ ଉଲ୍ଲାସ
ଶେଫାଳୀ ହସୁଛି ମହକ ବିଞ୍ଚୁଛି
ମଳୟ ବହୁଛି ଧିରେ
ଆମ୍ବଡାଳେ ବସି କୋଇଲି ଗାଉଛି
ପ୍ରଣୟ ବିଭୋର ସ୍ୱରେ I
ମେଘ ବରଷୁଛି ଟୁପୁରୁ ଟୁପୁରୁ
ଶୀତଳ କରୁଛି ମନ
ଆକାଶ ବୁକୁରେ ବିଜୁଳି ଖେଳୁଛି
ଜୋଛନା ଢାଳୁଛି ଜହ୍ନ I
ମଧୁର ମଧୁର କଣ୍ଠସ୍ୱର ଟିଏ
କାନରେ ପଡୁଛି ଆଜି
ଚଉଦିଗ ଦେଖ ଝୁମି ଯାଉଛି ଲୋ
ମନ ଯାଏ ହଜି ହଜି I
ମରମ ତଳର ଅକୁହା କାହାଣୀ
ଓଗାଳୁନି ଆଉ ବାଟ
ହର୍ଷ ଉଲ୍ଲାସର କୂଳୁ କୂଳୁ ତାନ
କାନେ ପଡେ ଅବିରତ I
ଓଠର ଫାଙ୍କରୁ ଛିଟିକି ପଡୁଛି
ହସର ଫୁଆର ଟିଏ
ରଙ୍ଗର ରୋଷଣୀ ଦେଖି ଦେଖି ଆଜି
ମନ ପୁଲକିତ ହୁଏ I
ନୀଳ ନିର୍ଜନର ନୂପୂର ଧ୍ୱନିରେ
ଛଳ ଛଳ ହୁଏ ଛାତି
ନୀଳ ଆଖିତଳେ ଦେଖ କେଉଁପରି
ହସିଲାଣି ଜହ୍ନରାତି I