ଆଲୋକିତ ଉପବନ
ଆଲୋକିତ ଉପବନ
ତୁମବିନା ମୋର ଜୀବନ ଅଧୁରା
ଜାଣିଛ ତ ପ୍ରିୟତମା
ତୁମପାଇଁ ମୋର ହୃଦୟ ତଳେ ଲୋ
ଅନ୍ତହୀନ ସବୁଜିମା I
ତୁମେ ପାଖେଥିଲେ ହୃଦୟ ନଈରେ
ପ୍ରେମର ଜୁଆର ଉଠେ
ତୁମ ପ୍ରେମେ ସଖୀ ଖୁସି ମୁଁ ମନାଏ
ମନ ଦରିଆର ତଟେ I
ତୁମେ ହସିଦେଲେ ହସେ ମୋ ଦୁନିଆ
ତୁମରି ଦୁଃଖରେ ଦୁଃଖୀ
ତୁମରି ମୁହଁରେ ଇନ୍ଦ୍ରଧନୁ ଆଙ୍କି
ସାତରଙ୍ଗ ଦିଏ ମାଖି I
ତୁମ ଆଖିତଳେ ସପନର ଢେଉ
ହୃଦୟେ ପ୍ରେମର ଶୀଳା
ଓଠରେ ତୁମର ଭରି ରଖିଛ ଲୋ
ପ୍ରଣୟର ମଧୁଶାଳା I
ମୋ ଆଖିରେ କେତେ ରଙ୍ଗ ବୋଳିଛ ଲୋ
ରଙ୍ଗୀନ ଦିଶୁଛ ତୁମେ
ଦୁନିଆର ସବୁ ଖୁସି ଦେଇ ମୋତେ
ଭିଜାଇଛ ତୁମ ପ୍ରେମେ I
ତୁମ ପାଦତଳେ ନିଜକୁ ସମର୍ପି
ତୁମ ନାମେ ଦୀପ ଜାଳି
ପାଳୁଛି ଆଜି ମୁଁ ଆନନ୍ଦ ମନରେ
ନୂଆ ଏକ ଦୀପାବଳୀ I