ଆଖିର ଆଇନାରେ ସଖୀ
ଆଖିର ଆଇନାରେ ସଖୀ
ତୁମରି ଆଖିର ଆଇନାର ସଖୀ
ଦେଖେ ମୁଁ ପ୍ରେମର ଛାଇ
ସକାଳ ପାହିଲେ ନିଦ ଭାଙ୍ଗିଗଲେ
ତୁମକୁ ରୁହେ ମୁଁ ଚାହିଁ I
ଚାଲିଗଲେ ତୁମ ପାଦର ପାଉଁଜି
ବାଜୁଥାଏ ରଣଝଣ
ତୁମ ଦେହତେଜ ଭେଦିଯାଏ ମୋର
ହୃଦୟର ପ୍ରତି କୋଣ I
ମୋ ଖୋଲା ଝରକା ଫାଙ୍କରୁ ତୁମକୁ
ନିରେଖି ମୁଁ ନିତି ଦେଖେ
ତୁମଠାରେ ମନ ହଜିଯାଏ ଯେବେ
କବିତାଟିଏ ମୁଁ ଲେଖେ I
ତୁମ ପାଦଶବ୍ଦେ ବାଚାଳ ହୁଏ ମୁଁ
ଉଚ୍ଚାଟିତ ହୁଏ ମନ
ତୁମପାଇଁ ମୋର ଶିରା ପ୍ରଶିରାରେ
ଭରିଯାଏ ଶିହରଣ I
ତୁମରି ଦେହର ଖୋଲା ଅଗଣାରେ
ଆଖି ଖେଳେ ଲୁଚକାଳି
ମୋ ଖିଆଲି ମନ ତୁମ କବରୀରେ
ଝୁଲି ଝୁଲି ଖେଳେ ଦୋଳି I
ଲାଜଲାଜ ହୋଇ ମୋ କାନେ ଲୋ ସଖୀ
ଶୁଣାଇ ପ୍ରେମର ଗାଥା
ମୋ ଉଦାସ ମନେ ପୁଲକ ଜଗାଅ
ହରିନିଅ ସବୁ ବ୍ୟଥା I