ଅପ୍ରିୟ ସତ୍ୟ
ଅପ୍ରିୟ ସତ୍ୟ
ଅବିଶ୍ବାସ ଭରା ଏ' ସାରା ସଂସାରେ
ବିଶ୍ଵାସର ପଥ ଭୁଲି ,
ସହଜରେ କେହି ଗ୍ରହଣ କରୁନି
ନିଜର କେ' ଅଛି ବୋଲି ।
ରକ୍ତର ସମ୍ପର୍କ ଦୂରେ ଥାଉ ଏଠି
ଚିହ୍ନା ମୁହଁ ନ'ଚିହ୍ନନ୍ତି ,
ବିଶ୍ଵାସ ଯୁଇରେ ଅବିଶ୍ବାସ କାଠେ
ଅନଳ ଶିଖା ଧରାନ୍ତି ।
ବଳି ପଡ଼ିଯାଏ ନିରୀହ ମନଟି
ଭରସା ସମର୍ପି ଦେଇ ,
ନିଜ ଛାଇ ପରା ଅନ୍ଧାର ଭିତରେ
ସାଥୀ ଛଡା ଦିଏ ସେହି ।
ସଜନା ଗଛବି ଦୁଃଖ ଋତୁ ହେଲେ
ସାଁବାଳୁଆ ଦେହେ ଧରି ,
ଧୈର୍ଯ୍ୟ ଧରି ଦେଖେ ନିଜର ଶରୀର
କ୍ଷତାକ୍ତ ଶବଟେ ପରି ।
ସତ୍ୟ, ଧର୍ମ, ନ୍ୟାୟ ପଥରେ ମିଳୁନି
ପବିତ୍ର ମନଟେ ଆଜି ,
ସ୍ଵାର୍ଥ ସରିଗଲେ ଯେ' ଯାହା ବାଟରେ
ଚାଲିଯାନ୍ତି ପଥ ଖୋଜି ।
ମାୟାବି ମନରେ ନିଜ ସ୍ବାର୍ଥ ବନ୍ଧା
ଅଭିନୟ କେତେ ପୁଣି ,
ଏ'ତ କଳି କାଳ ସର୍ବେ ଅସମ୍ଭାଳ
ଦେଉଛନ୍ତି ଜ୍ଞାନ ବାଣୀ ।
ମିଠା କଥା କହି ଚେର କାଟି ଦେଇ
ଅସ୍ତିତ୍ବ ନେବେ ଛଡ଼େଇ ,
ସୁଯୋଗ ସଂଯୋଗେ ଅବା ବିଧି ଯୋଗେ
ପ୍ରକଟନ୍ତି ପୁଣି ସେହି ।
ଏ'ତ ମାନସିକ ରୋଗ ସାଙ୍ଘାତିକ
ନାହିଁ ଆରୋଗ୍ୟ ସାଧନ ,
ବାଉଳା ମାୟାରେ ବାତୁଲ ନହୋଇ
ବେଳୁ ହେବା ସାବଧାନ ।