ଅପରାହ୍ନର ଚିନ୍ତା ଓ ଚେତନା
ଅପରାହ୍ନର ଚିନ୍ତା ଓ ଚେତନା
ଅସ୍ଥିର ଦିବସ
ଦିବା ରାତ୍ର ଖରା ଛାଇ ଖେଳ
ଏକ ପରେ ଆନ ତ ଆସିବ
ଏ ସତ୍ଯ କି ହେବ ପରାହତ ।
ଦିବା ଅବସାନ ପୂର୍ବୁଁ ଆସେ ଅପରାହ୍ନ
ସାୟାହ୍ନର ପ୍ରାକ୍ ସୂଚନା ଧରି
ପୂର୍ବାହ୍ନର ମାଦକତା କିବା
ମଧ୍ୟାହ୍ନର ଉଦ୍ଦାମତା ହୀନ
କାଳର ପ୍ରବାହ ଇଏ
ଆଗମନୀ ତାର ଚିରନ୍ତନ ।
ବିଗତ ଗତି ମତି ବାଲ୍ଯ ଯୁବକାଳର
ଅଧିଦୈବ ତାପେ ତପ୍ତ ନର କଳେବର
ପାପ ରୋଗ ବିୟୋଗ ଶରୀର ଅବସନ୍ନ
ମିଥ୍ୟାମୋହ ଅଭିଳାଷ କରିଛି ଆଚ୍ଛନ୍ନ
ଭ୍ରମଣ କରୁଛି ମନ ଭ୍ରମିତ ବିଶ୍ବରେ
ଈଶ ଚିନ୍ତା ଚିନ୍ତନ ବି ନ ଆସିଲା ଥରେ ।
ମୁଁ ଆଉ ମୋରର ସୀମା ସରହଦେ
ବନ୍ଧାହୋଇ ନ ଦେଖଇ କିଛି ।
ଭାବୁଛି ତୁଣ୍ଡରୁ ତାର ବାହାରିବା ମାତ୍ରେ
ଆଦେଶ ତା ହୋଇବ ପାଳନ ।
ଧନାଗମ ତୃଷ୍ଣା ନୋହେ ଦୂର
ଅସାର ସେ ଦେଖଇ ସଂସାର
କେହି କିଛି ନେଉନି ଏଇଠୁ
ଦେଖୁଛି ସେ ସବୁ
ନିଜେ ବି ସେ କିଛି ନେବ ନାହିଁ
ଜାଣୁଛି ସେକଥା
ଭାବୁଛି ମନରେ କିନ୍ତୁ ମୃତ୍ଯୁ ନାହିଁ ତାର
ଚିର ଦିନ ରହିବ ଅମର ।
ଧନ୍ୟ ଧନ୍ୟ ହେ କ୍ଳାନ୍ତ ପଥିକ
ଜୀବନର ଅପରାହ୍ନ ଇଏ
ଯାହା ଗଲା ଭାବ ଚାଲିଗଲା
ସେଥିନେଇ ଶୋଚନା ନକର
ଏବେ ଚିନ୍ତା ଚେତନାରେ ତୁମ
ଭରିଦିଅ ଅମୃତ କଣିକା ।
ପବିତ୍ରରୁ ଯେ ପବିତ୍ରତମ
ମଙ୍ଗଳରୁ ଯେ ସଦା ମଙ୍ଗଳ
ଦେବତାଙ୍କ ଦେବତା ଯେ ଦେବ
ଅବ୍ୟୟ ଯେ ସର୍ଵଭୂତ ପିତା
ଚିନ୍ତା ଆଉ ଚେତନାରେ ତୁମ
ଆଣ ତାଙ୍କୁ ହୋଇବ ମୁକତ
ଏଇ ଭବ ବନ୍ଧନରୁ ।
ଅସତ୍ୟ ସଂସାର
ସତ୍ଯ ସେ କଳପତରୁ ।
