ଅପରାହ୍ନ
ଅପରାହ୍ନ
ଜୀବନେ ଆସିଛି କେତୋଟି ସମୟ
ପାଣି ଫୋଟକାର ସମ
କେହୁ ବୁଝେ ନାହିଁ ଏହାର ଅର୍ଥକୁ
ମନ ଇଚ୍ଛା ହୁଏ ଭ୍ରମ ।
ଭାବନା ରାଇଜେ ସୃଷ୍ଟି କରି ଥାଏ
ଅଜସ୍ର କାମନା ବାସ
ଆଘାତ ବଳରେ ପରାୟା ସଂପତ୍ତି
ନିର୍ଦ୍ଵନ୍ଦରେ କରେ ଗ୍ରାସ ।
ଶରଣାପନ୍ନକୁ ମରଣ ଯୋଗାଏ
ମୁଖେ ଦେଇ ତୃଣ ଦାନା
ବୁଝେନା ଅଲକ୍ଷ୍ୟେ ତା' ପାଇଁ ହେଉଛି
ହଜାର ଦୁଆର ମନା ।
ଦିବା ନିଶୀ ଯାହା ଝଲମଲ ଦିଶେ
ତାହା ନୁହେଁ ଚିର ସ୍ଥାୟୀ
ତଥାପି ମାନସେ ଚିନ୍ତା ନ ଆସଇ
ମାୟାରେ ହୁଅଇ ବାଇ ।
କ୍ଷଣିକ ଜୀବନେ ଗୁମାନ କାହିଁକି
ସକଳଙ୍କୁ ଦିଅ ସୁଖ
ଆନନ୍ଦ ଉଲ୍ଲାସ ଭରି ଦେଇ ପ୍ରାଣେ
ହରିବା ସଭିଙ୍କ ଦୁଃଖ ।
ବୁଝି ବୁଝାଇବା ମନକୁ ତୋଷିବା
ସମୟ ଭାବକୁ ଧରି
ସଂଘର୍ଷ ଜୀବନେ ବେଳ ସରି ଆସେ
ମନକୁ ରଖନା ମାରି ।
