ଅପମାନ
ଅପମାନ
ସଂସାରେ ପ୍ରତ୍ୟେକ ମଣିଷ ବଞ୍ଚିଛି
ନେଇ ସାଥେ ସ୍ୱାଭିମାନ,
ଧନୀ ହେଉ ଅବା ଗରୀବ ବି ହେଉ
ସମାନ ଅଟେ ଜୀବନ |
କର୍ମ ଜଞ୍ଜାଳରେ ଅନେକଙ୍କ ସାଥେ
ଚାଲିବାକୁ ହୁଏ ବାଟ,
ବେଳେ ବେଳେ ଅନ୍ୟ ରୁକ୍ଷ ବ୍ୟବହାର
ମନେ ଭରିଦିଏ କଷ୍ଟ |
ନିଜେ ବଞ୍ଚିବାର ସ୍ୱାଭିମାନ ପରେ
ଯଦି କିଏ ଦିଏ ବାଧା,
ହୃଦୟରେ ଭରେ ଅପମାନ ବୋଧ
କର୍ମ ଭରେ ଶିଥିଳତା |
ଅପମାନ ବୋଧ ଭରିଦିଏ ମନେ
ଦୁଃଖ ସହ ପ୍ରତିକ୍ରିୟା,
କେବେ ସହି ହୁଏ କେବେ ବି ଅସହ୍ୟ
ମନେ ଜାଳେ କ୍ରୋଧ ନିଆଁ |
ଶିଶୁଠାରେ ମଧ୍ୟ ଅପମାନ ବୋଧ
ଚପଳତା ସାଥେ ଥାଏ,
ଅନ୍ୟର ଆକ୍ଷେପ ବୁଝିଯାଏ ଯେବେ
ମୁହଁ ତାର ଶୁଖିଯାଏ |
ସାଥି ଗହଣରେ ଖେଳୁଥିବା ବେଳେ
ଜିତିବାର ଆଶା ଥାଏ,
ହାରିଯାଏ ଯଦି ସାଥୀଙ୍କ ତାଳି ରେ
ଅପମାନ ବୋଧ ହୁଏ |
ମଣିଷ ଜୀବନେ ଅଭାବ କଷଣେ
ଅନ୍ୟ ପାଶେ ହାତ ପାତେ,
ନିରାଶାର ବାଣୀ ଦେଇଥାଏ ଦୁଃଖ
ଅପମାନ ଭରେ କେତେ |
ପ୍ରତି ପରିବାରେ ଚଳଣି ଭିତରେ
ମନ ମନାନ୍ତର ହୁଏ,
ନିର୍ଦୋଷ ମନରେ ଅଭିମାନ ସହ
ଅପମାନ ଜାତ ହୁଏ |
ଅପମାନ ଏକ ମାନସିକ କ୍ରିୟା
ହୃଦୟ ବିଦାରି ଥାଏ,
ବେଳେ ବେଳେ ତାର ପରିଣାମ ଆସି
ଅତି ଭୟଙ୍କର ହୁଏ |
ଆତ୍ମହତ୍ୟା ଭଳି ଘଟଣା ଘଟାଇ
ଜୀବନର ଅନ୍ତ କରେ,
କେବେ ପ୍ରତିଶୋଧେ ଧ୍ବଂସର ତାଣ୍ଡବ
ସୃଷ୍ଟିକରେ ଅବିଚାରେ |